Don't wanna be here? Send us removal request.
Text
କିଛି ସତ ଲୁଚି ରହିବା ଭଲ
କିଛି ସତ ଲୁଚି ରହିବା ଭଲ ଆଖି କଣରେ ଅଶ୍ରୁ ଆଢ଼ୁଆଳରେ ହଉ କିମ୍ବା ଓଠ ତଳ ହସର ଓଢ଼ଣା ତଳେ କିଛି ସତ ଲୁଚି ରହିବା ଭଲ । କବିର ହୃତସ୍ପନ୍ଦନରେ ଯାହା ତା' ଲେଖନୀ ମୁନରେ ଜୀବନ୍ତ ହବା ଅପେକ୍ଷାରେ ହଉ କିମ୍ବା ଶିଳ୍ପୀର ତୁଳି ଅଗରେ ଯାହା କାହାଣୀଟେ କହିବାର ଅପେକ୍ଷାରେ, ତା' ଛବିର ପ୍ରତିବିମ୍ବରେ କିଛି ସତ ଲୁଚି ରହିବା ଭଲ । ଅମାବାସ୍ୟା ରାତିର ନୀରବ ଅନ୍ଧକାରରେ ଶ୍ୱାନ ଶ୍ୱାପଦଙ୍କ ବିକଟାଳ ରଡ଼ିରେ ହଉ କିମ୍ବା ପୂର୍ଣ୍ଣିମା ଜହ୍ନର ରୂପେଲି ଜ୍ୟୋସ୍ନାରେ କଇଁ ଫୁଲଟିଏ ହୋଇ ଫୁଟିବା ଅପେକ୍ଷାରେ କିଛି ସତ ଲୁଚି ରହିବା ଭଲ । ଆକାଶର ବିଶାଳ ବକ୍ଷରେ ସୂର୍ଯ୍ୟଟିଏ ହୋଇ ନିଇତି ସକାଳୁ ଉଇଁବାର ବିଶ୍ୱାସରେ ହଉ କିମ୍ବା ସୂର୍ଯ୍ୟାସ୍ତ ପରେ ତାରାଟିଏ ହୋଇ ଆକାଶର ଏକାପଣକୁ ଦୂର କରିବାର ଭରଷାରେ କିଛି ସତ ଲୁଚି ରହିବା ଭଲ । ଝଡ଼ ବତାସରେ ବୁଢ଼ା ବରଗଛ ପରି ଅଣ୍ଟା ସଳଖି ଛାତି ଦେଖେଇ ଛିଡ଼ା ହବାର ଦମ୍ଭରେ ହଉ କିମ୍ବା କୂଳରୁ ଭସାଇ ନେଇଥିବା ଜିନିଷକୁ କୂଳକୁ ଫେରେଇ ଦବାର ସମୁଦ୍ରର ସ୍ୱାଭିମାନରେ କିଛି ସତ ଲୁଚି ରହିବା ଭଲ । - ଚିନ୍ମୟ କୁମାର ସାହୁ Read the full article
0 notes
Text
ସ୍ୱପ୍ନ ସାଗର
ରବିବାର ଅପରାହ୍ନ, ଡିଡି ନାସନାଲ୍ରେ ବାଜି ଉଠୁଥିଲା, "ରୂପା ଶଗଡ଼ିରେ ସୁନା କନିଆଁ" ଗୀତଟି ସିନା ସେ ଗାଇଥିଲା ମିଛି ମିଛିକା, ହେଲେ ପିଲାଠୁ ବୁଢ଼ାଯାଏ ସଭିଏଁ, ମନେ ମନେ ଗୁଣୁଗୁଣୁ ହେଉଥିଲେ ସତସତିକା । ସେଇ ଜେଜେ ବୁଢ଼ା, "କୂଳ ନନ୍ଦନ"କୁ ଝୁରି ଝୁରି, "ଲକ୍ଷ୍ମଣ ରେଖା" ଟାଣି, ସେଇ ଭଗାରୀ ଭାଇ, ନିଜେ ସିନା କାନ୍ଦିଥିଲା ମିଛି ମିଛିକା, ହେଲେ ଜୀବନ୍ତ ଅଭିନୟରେ, ସଭିଙ୍କୁ କନ୍ଦେଇ ଦେଉଥିଲା ସତସତିକା । ନବେ ଦଶକରେ, ଦର୍ଶକ ମନରେ ରାଜ୍ କରୁଥିଲା, "କୋଟିଏ ମଣିଷରେ ସେଇ ଗୋଟିଏ ଜଗା" ପଘା ଧରି ସେ ସିନା fighting କରୁଥିଲା ମିଛି ମିଛିକା, ହେଲେ ସେଇ swagକୁ ଦେଖି, ସବୁ ଶଗଡ଼ିଆ ନିଜକୁ hero ଭାବୁଥିଲେ ସତସତିକା । "ବିଧିର ବିଧାନ"!!! "ଜୀବନ ସଂଗ୍ରାମ"ରେ ପରାଜିତ ଆଜି, ସେଇ "ଆ' ବେ ପର୍ଶୁ, ଯା' ବେ ପର୍ଶୁ, ବାବୁ ପର୍ଶୁରାମ୍" । "ଶୋଇ ଯା' ମାମା" ବୋଲି ବୋଲି ଛୋଟ ଝିଅଟାକୁ, ଶୁଆଉ ଥିଲା ସେଇ ବିଗ୍ ଅଙ୍କଲ୍ ମିଛି ମିଛିକା, ହେଲେ ସଂସାରର "ଚକା ଭଉଁରୀ"ରେ, ଶୋଇପଡ଼ିଛି ଆଜି ସେ ସତସତିକା । ଶତାବ୍ଦୀର "ମହାନାୟକ" ସେ, ଅପରାଜୟ ବିଜୟ ସେ, ସ୍ମୃତିର ଅସୁମାରୀ ଗନ୍ତାଘ��େ, ସଦା ଜୀବନ୍ତ ରହିବ ସେ "ସ୍ୱପ୍ନର ସାଗରେ" । - ଅଭିଷେକ ତ୍ରିପାଠ�� Read the full article
0 notes
Text
ବାପା
ଜୀବନର ଅନ୍ୟନାମ ଯେ ଯନ୍ତ୍ରଣା ଏ କଥା ବୋଉ ଯିବାପରେ ଅନୁଭବ କଲି । ଆତ୍ମୀୟ ସ୍ୱଜନଙ୍କ ମୃତ୍ୟୁ ତ ଯନ୍ତ୍ରଣାଦାୟକ, କିନ୍ତୁ ମାଆର ମୃତ୍ୟୁ ଯେ ପିଲା ପାଇଁ କେତେ ବେଦନାଦାୟକ ସେ କଥା ଅନୁଭବୀ ହିଁ ଜାଣେ । ଚାହୁଁ ଚାହୁଁ ବୋଉ ଯିବାର ତେରଦିନ କଟିଗଲା । ପ୍ରଥମ ଦିନରୁ ନଅ ଦିନ ଯାଏ ଆତ୍ମୀୟ ସ୍ୱଜନଙ୍କର ଆତଯାତ, ଦଶଦିନରେ ଘାଟକାମ, ଏଗାର ଦିନରେ ବ୍ରାହ୍ମଣ ଭୋଜନ, ବାରଦିନରେ ବାରଭାତ, ପୁଣି ତେର ଦିନରେ ପିଠା ଆଉ ଚଉଦ ଦିନରେ ଆମ ପରି ଝିଅଜ୍ୱାଇଁମାନଙ୍କର ଫେରିବାର ପାଳି । ହିନ୍ଦୁ ଧର୍ମର ଏତିକି ସବୁପ୍ରଥା । କାଲି ଯାହାର ମମତାର ସ୍ପର୍ଶରେ ଆମ ଦେହ ମନ ପୁଲକିତ କରୁଥିଲା, ଆଜି ଆମ ପାଇଁ ସେ ପ୍ରେତାତ୍ମାର ରୂପ ନେଲା । ଆମେ ଭାଇ ଭଉଣୀ ପାଞ୍ଚଜଣ । ମୁଁ ଆଉ ଅପା ଦୁହେଁ ବାହା ହୋଇ ଓଡ଼ିଶା ଭିତରେ ରହୁଥିଲୁ । ବଡ଼ଭାଇ ଦୁହେଁ ବାହାରେ ରହୁଥିଲେ । ସମସ୍ତଙ୍କର ଶିକ୍ଷା ଦିକ୍ଷା ବେଶ୍ ଭଲରେ ବୋଉ କରି ସାରିଥିଲା । ସମସ୍ତଙ୍କର ପିଲାପିଲି ଆଉ ସୁଖର ସଂସାର ମଧ୍ୟ ବୋଉ ଦେଖି ସାରିଥିଲା । ବାପା ପାଞ୍ଚବର୍ଷ ତଳୁ ତାଙ୍କ ଶିକ୍ଷକ ଜୀବନରୁ ଅବସର ନେଇ ସାରିଥିଲେ । ସବୁ ପିଲାଙ୍କର ଶିକ୍ଷାଗତ ଯୋଗ୍ୟତା ଆଉ ପଦ ମର୍ଯ୍ୟାଦାକୁ ନେଇ ତାଙ୍କ ମନରେ ବେଶ ଗର୍ବଥିଲା । ବେଳେ ବେଳେ ମୁଁ ବୁଝିପାରେନି ଏଇଟା ତାଙ୍କର ଅହଂଙ୍କାର ନା ଆତ୍ମସନ୍ତୋଷ । କିନ୍ତୁ ବୋଉଟା ଆମର ଭାରି ସରଳ । କାହା ଚାକିରୀ ଓ ପଦ ମର୍ଯ୍ୟାଦାର ଧାର ଧାରେନା ସେ । ସକାଳୁ ରାତିଯାଏ ଖଟି ଚାଲିଥାଏ । ରାତି ପା��ିଲେ ରୋଷେଇବାସ, ଠାକୁର ପୂଜା, ବାପାଙ୍କ ପାଇଁ ପାନଭଙ୍ଗା, ଗାଈ ସେବାଠାରୁ ଆରମ୍ଭ କରି ବାର ମାସରେ ତେର ବ୍ରତ । ପାଖ ରଘୁନାଥ ମନ୍ଦିରକୁ ଫୁଲଗୁନ୍ଥି ପଠାଇବାଠାରୁ ପୂଜକଙ୍କ ଭଲ ମନ୍ଦ ଖବର ମଧ୍ୟ ବୁଝେ । ପୁଣି ଦିନରାତି ଘରକୁ ବନ୍ଧୁ ବାନ୍ଧବଙ୍କ ଆତଯାତ । ବୋଉ ଭାଷାରେ ମୁଁ ଥିଲି ତା “କୋଳପୋଛା” ଗେହ୍ଲୀ ଝିଅ । ଘରେ ମୋ ପଢ଼ାପଢ଼ି ପରେ ମୁଁ ବୋଉକୁ କେତେବେଳେ କେମିତି ସାହାଯ୍ୟ କରୁଥିଲି । ବାହାଘର ପରେ ବି ମୁଁ ବାପଘରକୁ ଅପାମାନଙ୍କ ତୁଳନାରେ ବେଶୀ ଯାଉଥିଲି । ଘରେ ପହଞ୍ଚିବା ପରେ ତା' ହାତ ରନ୍ଧା ଗଣ୍ଡେ ଖାଇ ତା' ଶୋଇବା ଘର ତଳେ ସପ ଖଣ୍ଡେ ପାରି ମୁଁ ଶୋଇଯାଏ । ବୋଉ Read the full article
0 notes
Text
୧୬ଶ ସଂସ୍କରଣ
Download Shubhapallaba 16th Edition Download Now ୨୧ଟି ଗଳ୍ପ, କବିତା ଆଦିକୁ ନେଇ ପ୍ରକାଶ ପାଇଛି ଏହି ମାସର ଶୁଭପଲ୍ଲବର ୧୬ଶ ସଂସ୍କରଣ । Download 1st Edition Download 2nd Edition Download 3rd Edition Download 4th Edition Download 5th Edition Download 6th Edition Download 7th Edition Download 8th Edition Download 9th Edition Download 10th Edition Download 11th Edition Download 12th Edition Download 13th Edition Download 14th Edition Download 15th Edition Shubhapallaba English Portal Read the full article
0 notes
Text
କାଳିଆ କଳିଯୁଗରେ
କିଏ କହେ ଜଗା, କିଏ ଜଗନ୍ନାଥ, କୋଟି କୋଟି ନାମ ତୋ'ର, ତୁହି ରାମଚନ୍ଦ୍ର, ତୁହି ପର୍ଶୁରାମ, ସହସ୍ର ରୂପ ତୋହର ।।୧।। ଅପଲକ ନୟନେ ରହିଛୁ ଅନାଇ, ତୋହର ଭକତ ଗଣଙ୍କୁ, ଭକତିରେ ବନ୍ଧା ଭାବର ଠାକୁର, ଟଙ୍କା ପଇସା ଅଲୋଡ଼ା ତାକୁ ।।୨।। ଶହେ ଆଠ ଗରା ପାଣିରେ ଗଧାଏ, ଦେବସ୍ନାନ ପୂର୍ଣ୍ଣିମାରେ, ଦେବ ଶରୀରରେ ମଣିଷ ପରାଏ, ଜରରେ ତା' ଦେହ ଥରେ ।।୩।। ଅଣସର ଘରେ ରୁହେ ତ ସେ ଯାଇ, ଫୁଲୁରୀ ତେଲ ଲଗାଏ, ଦଇତାପତିଙ୍କ ସେବା ଯତନରେ, ଦେହରୁ ଜର ଓହ୍ଲାଏ ।।୪।। ଆଷାଢ଼ ମାସରେ ଦ୍ୱିତୀୟା ତିଥିରେ, ହୁଏ ଶ୍ରୀ ଗୁଣ୍ଡିଚା ରଥଯାତ୍ରା, ଭାଇ, ଭଉଣୀ ସହ ଶ୍ରୀମନ୍ଦିରୁ ଆସି, ଜଗା ରଥରେ ହୁଏ ଉଭା ।।୫।। ନନ୍ଦିଘୋଷରେ ବସି ମାଉସୀ ଘରକୁ, ଯାଏ ପ��ଡ଼ପିଠା ଖାଇବାକୁ, ନଅ ଦିନ ରହି ବାହୁଡ଼ି ଆସେ ଯେ, ମହାଲକ୍ଷ୍ମୀଙ୍କୁ ମନେଇବାକୁ ।।୬।। କୋଟି କୋଟି ଲୀଳା କୋଟି କୋଟି ଗାଥା, ରହିଛି ତୋ' ନାଆଁରେ, ଭକତ ଜନଙ୍କୁ ତାରିବା ପାଇଁ କି, "କାଳିଆ କଳିଯୁଗରେ" ।।୭।। - ନିବେଦିତା ବେହେରା Read the full article
0 notes
Text
ପିଜ୍ଜା
ପକେଟରୁ କାଗଜ ବାହାର କରି ଆଉ ଥରେ ପଢ଼ି ନେଲା ବିପୁଲ । ଭିତରେ ପଶି��ା ପୂର୍ୱରୁ ଠିକଣାଟା ସୁନ��ଶ୍ଚିତ କରିବା ଦରକାର । ତ୍ରିତଲ କୋଠାଟି ଘେରି ବିଶାଳ ପ୍ରାଚୀର- ମାର୍ୱଲ ଫଳକ ଉପରେ ଲେଖା ଅଛି- "ସନ୍ଧ୍ୟାନୀଡ଼ ଭିଲ୍ଲା" । ବିପୁଲ "କଳିଙ୍ଗ ପିଜ୍ଜା" ନାଁ'ରେ ପ୍ରସିଦ୍ଧ ଗୋଟେ ସ୍ଥାନୀୟ ପିଜ୍ଜା ପ୍ରତିଷ୍ଠାନର ଦରମାପ୍ରାପ୍ତ ପିଜ୍ଜା ଡେଲିଭରି ବୟ । ତିନି ବର୍ଷ ତଳେ ଏଇ ସ୍ଥାନୀୟ ପିଜ୍ଜା ପ୍ରତିଷ୍ଠାନଟି ଆରମ୍ଭ ହୋଇ ଥିଲା । ନୂଆ ନୂଆ ପିଜ୍ଜା ଆଇଟମ ଆଉ ଲୋଭନୀୟ ସବୁ ଅଫର ଯୋଗୁଁ ଏଇ ତିନି ବର୍ଷରେ "କଳିଙ୍ଗ ପିଜ୍ଜା" କଟକ-ଭୁବନେଶ୍ୱର-ପୁରୀ ଅଞ୍ଚଳର ସବୁଠୁ ପ୍ରସିଦ୍ଧ ପିଜ୍ଜା ପ୍ରତିଷ୍ଠାନ ହିସାବରେ ନିଜକୁ ପ୍ରମାଣିତ କରି ସାରିଛି । ମ୍ୟାକଡୋନାଲ୍ଡ, ଡୋମିନୋଜ, ଇତ୍ୟାଦି ବିଦେଶୀ ପିଜ୍ଜା ପ୍ରତିଷ୍ଠାନ ସାଥିରେ ତାଳ ଦେଇ ତାଙ୍କୁ ବହୁ ପଛରେ ଛାଡ଼ି ଆସିଛି କଳିଙ୍ଗ ପିଜ୍ଜା । ପ୍ରବଳ ଚାହିଦା ଯୋଗୁଁ କଳିଙ୍ଗ ପିଜ୍ଜାର ଡେଲିଭରି ବୟମାନେ ସଦା ସର୍ବଦା ବ୍ୟସ୍ତ । ଅବଶ୍ୟ ସେଥିପାଇଁ ସେମାନେ ଅନ୍ୟାନ୍ୟ ପ୍ରତିଷ୍ଠାନର ଡେଲିଭରି ବୟଙ୍କଠୁ ଅଢ଼େଇ ଗୁଣ ଅଧିକା ଦରମା ପାଆନ୍ତି । "ଗୁଲମୋହର ନଗର" ଅଞ୍ଚଳକୁ ବିପୁଲ ଆଜି ଦ୍ଵିତୀୟ ଥର ଆସିଛି ଡେଲିଭରି ପାଇଁ । ଚାରି ବର୍ଷ ହେଲା ମୁଖ୍ୟ-ସହରର ଟିକେ ବାହାରେ, ଉତ୍ତର ଆଡ଼େ ଏଇ ନୂଆ ସେକ୍ଟରଟି ଆରମ୍ଭ ହୋଇଛି । ଏଇନେ ମଧ୍ୟ ବେଶୀ କୋଠାବାଡ଼ି ତିଆରି ହୋଇନାହିଁ । ପ୍ରଧାନ କାରଣ ଏଠି ଜମି ଦାମ ଗଗନଚୁମ୍ୱି । ସତ କହିଲେ, ଏଇ ଜାଗାଟା ତଥାକଥିତ "ପଶ ଏରିଆ" (ଉତ୍କୃଷ୍ଟ ଅଞ୍ଚଳ ବା ଆଡ଼ମ୍ୱର ବହୁଳ ଅଞ୍ଚଳ) ହିସାବରେ ଧରା ଯିବ । ଯେତିକି ଟିକେ କୋଠାବାଡ଼ି ହୋଇଛି, ସବୁ ଗୁଡ଼ିକ ଅତ୍ୟନ୍ତ ଦାମୀ ଆଉ ବିଳାସ ବହୁଳ । ଧନୀ ବ୍ୟକ୍ତି ଛଡ଼ା ଏଇ ଅଞ୍ଚଳରେ କେହି ଘର କରିବାକୁ ଚାହିଁବେନି । ବିପୁଲ ଗେଟ ଖୋଲି କମ୍ପାଉଣ୍ଡ ଭିତରେ ପ୍ରବେଶ କଲା । ବିଶାଳ ଲନ୍ଟାକୁ ଅତିକ୍ରମ କରି ପୋର୍ଟିକୋ (ଅଟ୍ଟାଳିକାର ପ୍ରବେଶ ଦ୍ୱାର) ତଳେ ପହଞ୍ଚିବା ପୂର୍ବରୁ ଆରମ୍ଭ ହେଇଗଲା ମୁଷଳଧାରାରେ ପ୍ରବଳ ବର୍ଷା, ସାଙ୍ଗରେ ତୀବ୍ର ବିଜୁଳି । ରୁମାଲ ବାହାର କରି ମୁଣ୍ଡ ପୋଛି ଘଣ୍ଟି ବଜେଇଲା ବିପୁଲ । ସୁନ୍ଦର ଗୋଟେ ସୁର ବାଜି ଉଠିଲା ଘର ଭିତରେ । ଟିକେ ସମୟ ପରେ ଇଣ୍ଟର-ଲକିଂ ସିଷ୍ଟମ ଖୋଲିବା ପରିକା ଗୋଟେ ଖୁଣ୍ଟ କରି ଶବ୍ଦ ହେଲା । ମୁହଁରେ ସ୍ମିତହାସ୍ୟ ନେଇ ବାଇଶ-ତେଇଶ ବର୍ଷର ଗୋଟେ ଅପରୂପା ସୁନ୍ଦରୀ ଯୁବତୀ କବାଟ ଖୋଲି ଛିଡ଼ା ହେଲା ଦ୍ୱାରମୁହଁରେ । "କୁହନ୍ତୁ", ମିଷ୍ଟ କଣ୍ଠସ୍ଵରରେ କହିଲା ଯୁବତୀ । "ମ୍ୟା'ମ, ଆପଣକଂର ପିଜ୍ଜା" "କେତେ ବିଲ ହେଇଛି?", ପିଜ୍ଜା ପ୍ୟାକେଟକୁ ହାତରେ ନେଇ ଯୁବତୀ ପଚାରିଲା । "ଓନଲି ସେଭେନ ସିକ୍ସଟି ଫାଇଭ, ମ୍ୟା'ମ" ଯୁବତୀ ତାହାର ସୁନ୍ଦର, ସୁକୋମଳ ହାତକୁ ବଢ଼େଇ ଦେଲା ବିପୁଳ ଆଡ଼େ-ଚମ୍ପା-ଫୁଲ ପରିକା ସୁନ୍ଦର ଆଙ୍ଗୁଳି ଭିତରୁ ଉଙ୍କି ମାରୁଥିଲା ଦିଟା ୫୦୦ ଟଙ୍କା ନୋଟ । "କ୍ଷମା କରିବେ ମ୍ୟା'ମ", ନିଜ ପର୍ସ ଊଣ୍ଡୁ ଊଣ୍ଡୁ ବିପୁଲ କହିଲା- "ମୋ ପାଖରେ ଏତେ ଟଙ୍କା ଖୁଚୁରା ନାହିଁ ।" "ତୁମ ଡେଲିଭରି ବୟମାନଙ୍କ ଭାରି ନାଟକ । କେବେ ମଧ୍ୟ ତୁମମାନଙ୍କ ପାଖରେ ଖୁଚୁରା ଟଙ୍କା ନଥାଏ ।" ମିଷ୍ଟ କଣ୍ଠରେ ବିପୁଲକୁ ଟିକେ ଭର୍ତ୍ସନା କଲା ଯୁବତୀ- "ତୁମେ ଟିକେ ଅପେକ୍ଷା କର, ମୁଁ ଘର ଭିତରୁ ଟଙ୍କା ନେଇ ଆସୁଛି ।" ଯାଉ ଯାଉ ହଠାତ କ'ଣ ଭାବି ଯୁବତୀ ପଛକୁ ଫେରି ଚାହିଁଲା । "ବର୍ଷା ହେଉଛି", ଗୋଟେ ଚେୟାରକୁ ଦେଖେଇ ଯୁବତୀ କହିଲା- "ବାହାରେ ଛିଡ଼ା ନ ହେଇ, ଭିତରେ ବସି ଅପେକ୍ଷା କର । କବାଟଟା ଦେଇ ଦିଅ । ଅଯଥା ପାଣି ଛିଟା ଆସୁଛି ଘରକୁ ।" ବିପୁଲ କବାଟ ବନ୍ଦ କରିବାରୁ ଯୁବତୀ ବୈଠକଘରର ସୁଦୃଶ୍ୟ ସିଡ଼ି ଦେଇ ଧୀରେ ଧୀରେ ଉପରକୁ ଉଠି ଗଲା । ବାଁପଟେ ବୁଲି ଗୋଟେ ବଖରା ଭିତରେ ପ୍ରବେଶ କଲା ସିଏ । ବିପୁଲ ଭିତରକୁ ଆସି ବସି ଚାରିଆଡ଼େ ନଜର ବୁଲେଇଲା । ବିଶାଳ ସୁଦୃଶ୍ୟ କୋଠାଟିଏ- ବୈଠକଘରେ ବହୁତଗୁଡ଼େ ଶୋ-କେଶ, କାଚ ଅଲମୀରା । ସେଗୁଡ଼ା ସବୁ ନାନା ପ୍ରକାର ଶୋ-ପିସ, ଦୁଷ୍ପ୍ରାପ୍ୟ ଆଣ୍ଟିକ ଆଉ ମୂଲ୍ୟବାନ କିଉରିଓରେ ଭର୍ତ୍ତି । ଘରର ଦିଟା କଣରେ ଗ୍ରୀକ ଭାଷ୍କର୍ଯ୍ୟଶୈଳୀରେ ତିଆରି ଶ୍ୱେତପଥରର ନଗ୍ନ-ନାରୀ ମୂର୍ତ୍ତୀ । ଗୋଟେ ଦିବାଲରେ ୪୮ ଇଞ୍ଚର ଗୋଟେ ଏତେ ବଡ଼ ଏଲ.ଇ.ଡି ଟିଭି । ଫଲ୍ସ ସିଲିଙ୍ଗ ଦିଆ ଛାତରୁ ଝୁଲୁଛି ବିଶାଳ ଗୋଟେ ଝାଡ଼ଲଣ୍ଠନ । ପ୍ରାୟ ୫ ମିନିଟ ବିତିଗଲା ତଥାପି ଯୁବତୀ ଟଙ୍କା ନେଇ ଫେରିଲାନି । ବିପୁଲଟିକେ ଉସଖୁସ ହୋଇ ଭାବୁଛି କ'ଣ କରିବ, ହଠାତ୍ ବିଦ୍ୟୁତ ଚାଲି ଗଲା- ନୀରାଟ ଛିଦ୍ରହୀନ ଅନ୍ଧାରରେ ବୁଡ଼ି ଗଲା ପୁରା ଘରଟି । ମଝିରେ ମଝିରେ ବିଜୁଳି ଚମକରେ ଦୃଶ୍ୟମାନ ହୋଇ ଉଠୁ ଥାଏ ଘର ଭିତରଟା, କ୍ଷଣିକପାଇଁ ଦିଶା ଯାଉଥାଏ ଅଦ୍ଭୁତ ଦୃଶ୍ୟମାନ କିଉରିଓଗୁଡ଼ିକ । ଏପରି ଅଦ୍ଭୁତ ପର��ବେଶରେ ମନେ ହୋଉଥାଏ କୋଉ ଜାନ୍ତବ ଅମଙ୍ଗଳ ଧୀରେ ଧୀରେ ଜାଗ୍ରତ ହେଉଛି ସେଇ ରହସ୍ୟମୟ ପୁରୀରେ; ସ୍ତିମିତ ବେଗରେ ଗୋଟେ ଅଶୁଭ ଆଶଂକା ଯେମିତି ମାଡ଼ି ବସୁଥାଏ ଶଙ୍କିତ ଚେତନାରେ । ହଠାତ୍ ଅନ୍ଧାର ଚିରି ଧାଇଁ ଆସିଲା ରକ୍ତକୁ ଜମାଟ କରି ଦେବା ପରିକା ନାରୀକଣ୍ଠର ଗୋଟେ ତୀବ୍ର ଆର୍ତ୍ତନାଦ । ଗୋଟା ଭିଲ୍ଲା ରହି ରହି ଥରି ଯାଉଥାଏ ସେଇ ମର୍ମଭେଦୀ ଚିତ୍କାର ଯୋଗୁଁ । କିଛି ମୁହୂର୍ତ୍ତ ପରେ ଚିତ୍କାର କମି ଯାଇ ଶୁଭାଗଲା ଗୋଟେ କଣ୍ଠରୁଦ୍ଧ ଘଡ଼ଘଡ଼ ଶବ୍ଦ । ଆସ୍ତେ ଆସ୍ତେ ସେଇ ଶବ୍ଦ ବି ବନ୍ଦ ହେଇ ଗଲା କିଛି ସମୟ ପରେ । ଶ୍ମଶାନ ପରିକା ନିସ୍ତବ୍ଧତା ପୁନରାୟ ଗ୍ରାସ କରି ନେଲା ପୁରା ଭିଲ୍ଲାଟିକୁ । ରହି ଗଲା ଖାଲି ଗୋଟେ ଭୟାବହ ସ୍ମୃତି । "ମ୍ୟା'ମ, ଆପଣ କୋଉଠ��?" ଗଳାରୁ ଭଲ କରି କଥା ବାହାରୁ ନଥାଏ ବିପୁଲର । କୌଣସି ଉତ୍ତର ମିଳିଲାନି । ନିସ୍ତବ୍ଧ ପରିବେଶରେ ଶୁଭା ଯାଉଥାଏ ଖାଲି ବିଜୁଳି ଘଡ଼ଘଡ଼ି ଶବ୍ଦ । ଚେୟାର ଛାଡ଼ି ବିପୁଲ ଧୀରେ ଧୀରେ ଉଠିଲା । ରୁଦ୍ଧକଣ୍ଠରେ ଧୀର ପାଦରେ ସିଡ଼ି ଚଢ଼ି ଉପରକୁ ଉଠି ଗଲା ସିଏ । ଅନ୍ଧାର ଗ୍ରାସ କରି ନେଇଥିବା ଗୋଟେ ବଖରାରୁ ମହମବତୀର ଆଲୁଅ ଦିଶୁଥିଲା ହାଲ୍କା ହାଲ୍କା । "ମ୍ୟା'ମ, ଆପଣ କଣ ଭିତରେ?" କେହି ଜବାବ ଦେଲେନି । ଘର ଭିତରଟା ଅସହ୍ୟ ନିସ୍ତବ୍ଧ । କୌଣସି ଜବାବ ନ ପାଇ, ଟିକେ ଇତସ୍ତତଃ ହୋଇ ଭିତରେ ପଶି ଗଲା ବିପୁଲ । ମୁହୂର୍ତ୍ତ ଭିତରେ ତା' ଆଖିରେ ପଡ଼ିଲା ସେଇ ବୀଭତ୍ସ ଦୃଶ୍ୟ । ମାଟିରେ ପଡ଼ିଥିଲା ଯୁବତୀର ନିର୍ଜୀବ ଦେହ । କଣ୍ଠନଳୀରୁ ବାହାରିଛି ଗୋଟେ ଧାରଦାର ଭୂଜାଲିର ରତ୍ନଖଚିତ ବେଣ୍ଟ । ଚପ ଚପ ରକ୍ତ ବୋହି ଆସି ଶ୍ୱେତବସନାକୁ କରି ଦେଇଛି ଓଦା ଆଉ ରକ୍ତରଂଜିତ । ବିସ୍ଫାରିତ ଆଖି ଦି'ଟା ଚାହିଁ ରହିଛି ଉପର ଆଡ଼େ- ମନେ ହେଉଛି କୋଉ ମହାଭୟଙ୍କର ଅମଙ୍ଗଳକୁ ଦେଖି ସେମାନେ ହେଇ ଯାଇଛନ୍ତି ବିସ୍ମିତ ଆଉ ନିଷ୍ପଲକ । ଯୁବତୀର ସୁନ୍ଦର ମୁଖମଣ୍ଡଳୀ ମୃତ୍ୟୁଯନ୍ତ୍ରଣାରେ ହୋଇ ଯାଇଛି ବୀଭତ୍ସ ଓ ଭିତ୍ତିପ୍ରଦ । ବିପୁଲ ହଠାତ୍ ଚମକି କିରି ପଛକୁ ଫେରି ଚାହିଁଲା । ସ୍ପଷ୍ଟ କିଛି ନ ଦିଶିଲେ ବି, ତାର ମନେ ହେଲା ଗୋଟେ ଛାୟା ସାଇଁ କରି ପଶିଗଲା କୋଉ କ'ଣ ଆଡ଼େ । ମୃତ୍ୟୁଶୀତଳ ସେଇ ଭିଲ୍ଲାରେ ସିଏ ସ୍ପଷ୍ଟ ଅନୁଭବ କରି ପାରୁଥିଲା ଆଉ କାହାର ଅଶୁଭ ଅସ୍ତିତ୍ୱ । ଠକ.. ଠକ.. ଠକ.. ଠକ.. ଠକ.............. ମୃତ୍ୟୁ- ନୀରବ ପରିବେଶକୁ ଅଶାନ୍ତ କରି ଭାସି ଆସିଲା ମୃଦୁ ଗୋଟେ କାଠ ଠୁକିବା ପରିକା ଶବ୍ଦ । ମନେ ହେଲା ନର୍କଦ୍ୱାରର କବାଟ ବାଡ଼ଉଛି କିଏ ଜଣେ ଅମଙ୍ଗଳର ଅଗ୍ରଦୂତ । କୌତୁହଳ, ଗୋଟେ ଅଦମ୍ୟ କୌତୁହଳ ବିପୁଲକୁ ଟାଣୁଥିଲା ସେଇ ଶବ୍ଦର ଉତ୍ସ ଆଡ଼କୁ । ସେଇ କୌତୁହଳ ଏତେ ପ୍ରବଳ ଯେ ଭୟକୁ ବି ଉପେକ୍ଷା କରି ଯିବ ଜଣେ ହତଭାଗ୍ୟ । ବଖରାରୁ ବାହାରି ବିପୁଲ ଧୀରେ ଧୀରେ ଶବ୍ଦକୁ ଅନୁସରଣ କଲା । କରିଡୋର ଶେଷକୁ ପହଞ୍ଚିଛି, ହଠାତ୍ ସେଇ ଶବ୍ଦଟି ବନ୍ଦ ହେଇଗଲା ଆଶ୍ଚର୍ଯ୍ୟ ଭାବରେ । ମନେ ହେଲା ଅନ୍ଧାର ଭିତରେ ଧୀରେ ଧୀରେ ଘନୀଭୂତ ହୋଇ ଉଠିଲା ଗୋଟେ ଅଦୃଶ୍ୟ ଆତଙ୍କ । ମନ ଭିତରେ କେହି ତାକୁ ଅଗ୍ରସର ହେବାକୁ ମନା କରୁଥିଲା । ପାଖରେ, ବହୁତ ନିକଟରେ ଅସ୍ପଷ୍ଟ ଗୋଟେ ଖିଲଖିଲ ହସର ଶବ୍ଦ ଶୁଭା ଗଲା ତାକୁ । ବିପୁଲ ଆଉ ଆଗକୁ ବଢ଼ିଲାନି । ଏଇନେ ଏଇ ଅଶୁଭ ଭିଲ୍ଲା ଛାଡ଼ି, ଏଇ ଅଭିଶପ୍ତ ଜାଗା ଛାଡ଼ି ପଳେଇବାକୁ ହେବ । ଦ୍ରୁତ ପାଦରେ ସିଏ ସିଡ଼ି ଆଡ଼କୁ ବଢ଼ିଲା । କରିଡୋର ମୁହଁରେ ସେଇ ବଖରା ପାଖକୁ ପହଞ୍ଚି, କିଛି ଗୋଟେ ତା ମନକୁ ଅସ୍ୱାଭାବିକ ମନେ ହେଲା । କୌତୁହଳ ନ ସମ୍ଭାଳି ପାରି ଧୀରେ ଧୀରେ ସିଏ ମୁଣ୍ଡ ବୁଲେଇ ବଖରା ଆଡ଼କୁ ଅନେଇଲା । ଗୋଟେ ଅସମ୍ଭବ ଦୃଶ୍ୟ ଦେଖି ହତଶ୍ଚକିତ ହୋଇ ଗଲା ସିଏ- ଯୁବତୀର ରକ୍ତାକ୍ତ ଶବଟି କୋଉ ମାୟାବୀ ଯାଦୁଗର ଦ୍ୱାରା ଅଦୃଶ୍ୟ! ଖାଲି ଜମାଟ ବାନ୍ଧିଯିବା କଳା ରକ୍ତର ଦାଗ, କିଛି ସମୟ ପୂର୍ବରୁ ଘଟି ଯିବା ମର୍ମାନ୍ତୁକ ଘଟଣାର ପ୍ରମାଣ ବହନ କରୁଛି । ଆଉ ଠିଆ ହେଲା ନି ବିପୁଲ । ଦ୍ରୁତଗତିରେ ସିଡ଼ି ଦେଇ ଓହ୍ଲ���ଇ କବାଟ ଆଡ଼େ ଦୌଡ଼ିଲା । ହତଭାଗ୍ୟ ଜାଣି ନ ଥିଲା ତା ପାଇଁ ଗୋଟେ ଅଭିଘାତ ଅପେକ୍ଷା କରି ରହିଛି ଦ୍ୱାରମୁହଁରେ । ଯୋଉ କବାଟ ସିଏ ନିଜ ହାତରେ ବନ୍ଦ କରିଥିଲା, କୋଉ ଅଜଣା କାରଣ ଯୋଗୁ ଏଇନେ ସେଇଟା ଖୋଲା । ଦ୍ୱାରମୁହଁ ସମ୍ମୁଖରେ ଛିଡ଼ା ହେଇଛି ଗୋଟେ ଭୟାବହ ଅପଛାୟା । ବିଜୁଳି ଚମକରେ ମଝିରେ ମଝିରେ ଜାଗ୍ରତ ହୋଇ ଉଠୁଛି ସେଇ ଅପଚ୍ଛାୟାର ଅଶୁଭ ଅବୟବ । ମୁଣ୍ଡର କଳା କେଶରାଶୀ କାଳସର୍ପ ପରିକା ଦୋଳି ଖେଳି ଆନ୍ଦୋଳିତ ହେଉଛି । ଦେହର ଶ୍ୱେତବସନ ଫରଫର ହେଉଛି ହିମଶୀତଳ ପବନରେ, ତା' ସାଙ୍ଗରେ ସୁର ମିଳେଇ ବିଶାଳ ବାଦୁଡ଼ିର ଡେଣା ପରିକା ଉଡ଼ୁଛି ଘରର ପରଦା । ହାତର ଆଙ୍ଗୁଳିରେ ନଖଗୁଡ଼ା ସୁତୀକ୍ଷ୍ଣ ଆଉ ବକ୍ର । ଡାହାଣ ହାତରେ ମହାକାଳର ଲହଲହ ଜିହ୍ୱା ପରିକା ଗୋଟେ ଉଦ୍ଧତ ତୃଷାର୍ତ୍ତ ଛୁରୀ । ଏଇ ଭୟଙ୍କର ରାତିରେ ଅଭିଶପ୍ତ ପୁରୀର ଦ୍ୱାର ସମ୍ମୁଖରେ ଛିଡ଼ା ହେଇଛି କିଏ? କିଏ ସେ କିଏ? ହଠାତ୍ ଗୋଟେ ବିକୃତ ଚିତ୍କାର ଛାଡ଼ି ତା ଆଡ଼େ ମାଡ଼ି ଆସିଲା ସେଇ ଧଳା ଆତଙ୍କ । ମୁହୂର୍ତ୍ତ ପାଇଁ ବିଜୁଳି ଆଲୁଅରେ ଆତତାୟୀର ମୁହଁ ଦୃଷ୍ଟିଗୋଚର ହେଲା- ଆଖିରେ ପୈଶାଚିକ ଉଲ୍ଲାସ, ଓଠରେ ବଣ୍ୟ ହସ ଆଉ କଣ୍ଠରେ ରକ୍ତତୃଷ୍ଣା ନେଇ ତା' ଆଡ଼କୁ ମାଡ଼ି ଆସିଛି ସଦ୍ୟମୃତ ଯୁବତୀ । ମୃତ୍ୟୁଲୋକର ବାସିନ୍ଦା ଅତିଥି ହୋଇ ଇହଲୋକକୁ ଆସିଛି ତୃଷ୍ଣା ମେଣ୍ଟେଇବାକୁ । ଦାରୁଣ ଆତଙ୍କରେ ଆଖି ବନ୍ଦ କରି ଦେଲା ବିପୁଲ । ମିନିଟ ଖଣ୍ଡେ କି ଦି ମିନିଟ, ବହୁତଗୁଡ଼େ କଣ୍ଠର ଖିଲ ଖିଲ ହସ ଶୁଣି ବିପୁଲ ଧୀରେ ଧୀରେ ଆଖି ଖୋଲି ଚାହିଁଲା । ଘରଭିତରର ଦୃଶ୍ୟ ବଦଳି ଯାଇଛି ୟା ଭିତରେ- ଚାରିଆଡ଼ ଆଲୁଅରେ ଭରି ଉଠିଛି, ଚାରି ପାଞ୍ଚଜଣ ପ୍ରାଣଚଞ୍ଚଳ ଯୁବକ ଯୁବତୀ ତାକୁ ଘେରି ଖିଲଖିଲ କରି ହସୁଛନ୍ତି । ସଦ୍ୟମୃତ ସେଇ ଯୁବତୀ ଗୋଟେ ଦର୍ପଣ ନେଇ ମୁହଁରୁ ରଙ୍ଗ ଘଷି ଘଷି ଉଠେଇବାରେ ବ୍ୟସ୍ତ । ଟିକେ ପରେ ବୁଝି ହେଲା ପୁରା ଘଟଣାଟା । ବଡ଼ଲୋକ ଘରର ବାଳୁଙ୍ଗା ପିଲାମାନେ ବର୍ଷା ରାତିରେ ନାଟକ କରି ଭୟଭୀତ କରୁଥିଲେ ତାକୁ । ସେଇ "ଠକ ଠକ ଶବ୍ଦ" ବା "ସାଇଁ କରି ଲୁଚି ଯିବା ଛାୟା" ସବୁ ଏଇ ନାଟକର ଅଙ୍ଗ । "କିଛି ମନେ କରନି ଭାଇ, ତୁମ ସାଙ୍ଗରେ ଆମେ ଟିକେ ମଜା କରୁଥିଲୁ", ଜଣେ ଯୁବକ ହସି କିରି କହିଲା "ଗୋଟେ ଟିଭି ଧାରାବାହିକ ପାଇଁ ଆମେ ରିହର୍ଷଲ କରୁଥିଲୁ । ତୁମକୁ ଦେଖି ଭାବିଲୁ ତୁମ ଉପରେ ଟିକେ ପ୍ରୟୋଗ କରି ଦେଖିବା ।" "ସତ କଥା କୁହ ତ ଭାଇ, ତୁମେ ଡରି ଯାଇଥିଲ ନା?" ନାଟକର ମୁଖ୍ୟ ଚରିତ୍ର ସେଇ ଯୁବତୀଟି ପଚାରିଲା । "ହଁ ମ୍ୟାଡମ, ମୁଁ ଡରି ଯାଇଥିଲି", ବିପୁଲ ସ୍ୱୀକାର କଲା- "ଆପଣଙ୍କର ଅଭିନୟ ଯୋଗୁଁ ନୁହେଁ, ଏଇ ଭିଲ୍ଲାର ଇତିହାସ ଯୋଗୁ ଡରି ଯାଇଥିଲି ମୁଁ ।" "ଭିଲ୍ଲାର ଇତିହାସ ଯୋଗୁଁ, ମାନେ?" ନିଷ୍ପଲକ ଆଖି ନେଇ ଯୁବତୀ ଆଡ଼େ ଅନେଇଲା ବିପୁଲ । ରହସ୍ୟମୟ ଭାବରେ ହସି, ବିପୁଲ ପିଜ୍ଜାର ବିଲଟା ତା ହାତକୁ ବଢ଼େଇ ଦେଲା । ବିଲ୍ଟା ଭଲ କରି ଦେଖି ଚମକି ପଡ଼ିଲା ଯୁବତୀ । ଏମିତି ବିଲ୍ର କାରଣ କ'ଣ? ହଠାତ କର୍ଣ୍ଣଭେଦି ଶବ୍ଦ କରି ପାଖାପାଖି କୋଉଠି ବିଜୁଳି ପଡ଼ିଲା । ସାଙ୍ଗେ ସାଙ୍ଗେ ଲାଇନ କଟି କିରି ଅନ��ଧାରରେ ବୁଡ଼ି ଗଲା ପୁରା ଭିଲ୍ଲା । ଭିଲ୍ଲା ସାଙ୍ଗରେ ଯୁବକ ଯୁବତୀଙ୍କୁ ମଧ୍ୟ ଗ୍ରାସ କରିନେଲା ରାତ୍ରିର ନିଷ୍ଛିଦ୍ର ଅନ୍ଧାର । ---------------------------------x--------------------------------- କଳିଙ୍ଗ ପିଜ୍ଜାର ମ୍ୟାନେଜର ଚେୟାରରୁ ଉଠି ଇନ୍ସପେକ୍ଟର ପ୍ରଳୟପୁତ୍ର ପଣ୍ଡାଙ୍କ ସାଥିରେ କରମର୍ଦ୍ଦନ କଲେ । "କୁହନ୍ତୁ ଇନ୍ସପେକ୍ଟର, କେମିତି ସାହାଯ୍ୟ କରିବି ଆପଣଙ୍କୁ?" "ମି. ରାଉତ, ଦି'ଦିନ ତଳେ ଗୁଲମୋହର ନଗର ସେକ୍ଟରରେ ଗୋଟେ ନାରକୀୟ ହତ୍ୟାକାଣ୍ଡ ହେଇଛି", ଇନ୍ସପେକ୍ଟର ପଣ୍ଡା ପକେଟରୁ ଗୋଟେ କାଗଜ ବାହାର କଲେ "ଛ'ଜଣ ଯୁବକ ଯୁବତୀଙ୍କୁ କେହି ଜଣେ ବିଭତ୍ସ ଭାବରେ ଛିନ୍ନ ଭିନ୍ନ କରି ହତ୍ୟା କରିଛି । ଘଟଣାସ୍ଥଳରୁ କଳିଙ୍ଗ ପିଜ୍ଜାର ଗୋଟେ ଖାଲି ପିଜ୍ଜା ପ୍ୟାକେଟ ଆଉ ଏଇ ବିଲଟା ମିଳିଛି । ବିଲର ତାରିଖ ହଉଛି ତିନି ବର୍ଷ ପୁରୁଣା ।" "କ'ଣ କହିଲେ, ଗୁଲମୋହର ନଗର'ରେ ହତ୍ୟାକାଣ୍ଡ?" ମ୍ୟାନେଜର ରାଉତ ଟିକେ ଅବାକ ହୋଇ ପଚାରିଲେ "ତିନି ବର୍ଷ ତଳର ବିଲ ମିଳିଛି ସେଠୁ?" "ହଁ, ଗୁଲମୋହର ନଗର" "ହତ୍ୟାକାଣ୍ଡ,.... ତିନି ବର୍ଷ ପୁରୁଣା ବିଲ... ଆଚ୍ଛା ଠିକ କୋଉ ଜାଗାରେ ହେଇଛି ହତ୍ୟାକାଣ୍ଡଟା?" "ଗୁଲମୋହର ନଗରର ଟିକେ ଭିତର ଆଡେ଼ ଗୋଟେ କୋଠୀ ଅଛି, ନାଁ ସନ୍ଧ୍ୟାନୀଡ଼ ଭିଲ୍ଲା । ସେଇଠି ହେଇଛି ଘଟଣାଟି" "ହୋଆଟ? ସନ୍ଧ୍ୟାନୀଡ଼ ଭିଲ୍ଲା!!" ଚମକି ଉଠିଲେ ମ୍ୟାନେଜର ରାଉତ । "ହଁ, ସନ୍ଧ୍ୟାନୀଡ଼ ଭିଲ୍ଲା । " ଇନ୍ସପେକ୍ଟର ପଣ୍ଡାଙ୍କ ମୁହଁରେ ଜିଜ୍ଞାସା ସ୍ପଷ୍ଟ, "ଆପଣ ଏଇ ବିଷୟରେ କିଛି ଜାଣିଛନ୍ତି କି?" "ଟିକେ ଖୋଲି କିରି ନ କହିଲେ ଆପଣ ବୁଝି ପାରିବେନି", ମ୍ୟାନେଜର ରାଉତ ଡ୍ରୟାରରୁ ଗୋଟେ ଫାଇଲ ବାହାର କରିଲେ- "ଚାରି ବର୍ଷ ତଳେ ଉଦ୍ୟୋଗପତି ଶଶୀଶେଖର ଷଡ଼ଙ୍ଗୀ ସନ୍ଧ୍ୟାନୀଡ଼ ଭିଲ୍ଲାଟି ବନେଇଥିଲେ । ମଝିରେ ସଝିରେ ସିଏ ଆଉ ତାଙ୍କ ପରିବାର ଏଠି ଆସି କିଛିଦିନ ରହି ବୁଲି ଯାଉଥିଲେ । ସେଥର ତାଙ୍କ ଝିଅ ତାର କିଛି ସାଙ୍ଗମାନଙ୍କ ସାଥିରେ ସନ୍ଧ୍ୟାନୀଡ଼କୁ ଛୁଟି ବିତେଇବାକୁ ଆସିଥିଲା । ବଡ଼ଲୋକ ଘରର ସ୍ପଏଲ୍ଡ ଚାଇଲ୍ଡ ଯେମିତି ହୁଅନ୍ତି ଆଉ କ'ଣ । ଥରେ ଆମ ଏଠୁ ପିଜ୍ଜା ଅର୍ଡର କଲେ । ଆମର ଜଣେ ଡେଲିଭରି ବୟ ପିଜ୍ଜା ଦେବାକୁ ଯାଇଥିଲା । ଦୁର୍ଯୋଗ ରାତିରେ ତାକୁ ଏମିତି ଡରେଇଲେ ସେ ହାର୍ଟଫେଲ କରି ମର��� ଗଲା । ସେଇ ସମୟ ଏଠିକାର ଓ.ସି ଥିଲେ ସୁରଜିତ ବାଣ୍ଠ । ଧନୀ ବାପ ତାଙ୍କୁ ହାତ କରି କେସ ଦବେଇ ଦେଲେ । ତା'ପରେ ତ ସନ୍ଧ୍ୟାନୀଡ଼ ବିକ୍ରି କରି ଦେଲେ ଆଉ କାହାକୁ । ଏଇନେ କିଏ ରହୁଛି ସେଠି, ମୁଁ ଜାଣେନି ।" "ଯେଉଁ ଡେଲିଭରି ବୟର ମୃତ୍ୟୁ ହେଇ ଥିଲା, ତାର ନାଁ କଣ ଟିକେ କହିଲେ?" "ବିପୁଲ ଜେନା । ଆମର ସର୍ବପ୍ରଥମ ଡେଲିଭରି ବୟ । ଭାରି ବଢ଼ିଆ ଟୋକାଟି ଥିଲା ।" - ଶାଶ୍ୱତ ରାଉତରାୟ Read the full article
0 notes
Text
ଶ୍ରୀଜଗନ୍ନାଥ ହିଁ ଶ୍ରୀରାଧାକୃଷ୍ଣ
(ଦିବ୍ୟ ଶ୍ରୀବିଗ୍ରହଙ୍କର ଏହି ତତ୍ତ୍ୱର ଏକ ବିହଙ୍ଗାବଲୋକନ) ପଶ୍ଚିମ ଦିଗ ଭାଗରେ ଅବସ୍ଥିତ ଠାକୁର, ପୂଣ୍ୟତୋୟା ଯମୁନା ସେପାରିରେ ପାତାଳି ହେବାକୁ ବସିଲେଣି । ଏପାରିରେ ତରୁ ଲତା କୁଞ୍ଜବନ ସବୁ ରଙ୍ଗଗମୟ । ସବୁକିଛି ଯେପରି ସ୍ତବ୍ଧ । ସମସ୍ତ ନିସ୍ତବ୍ଧତାକୁ ଭଙ୍ଗ କରି ରମଣୀ ଜଣେ ଘୁରିବୁଲୁଛନ୍ତି କୁଞ୍ଜକାନନ ମଧ୍ୟରେ । ଅତ୍ର, ତତ୍ର, ସର୍ବତ୍ର ଖୋଜିଚାଲିଛନ୍ତି ହଜାଇ ଦେଇଥିବା କେଉଁ ଏକ ଦୁର୍ମୂଲ୍ୟ ବସ୍ତୁକୁ । ମୁକୁଳିତ କେଶ, ଅସଜଡ଼ା ଅଙ୍ଗବାସ, ନୟନ ଯୁଗଳରୁ ବହିଯାଉଛି ଅବାରିତ ଅଶ୍ରୁଧାର । ଆହାଃ, ହତଭାଗିନୀ...!! ଗୁଣୁ ଗୁଣୁ ହୋଇ କହିଉଠୁଛନ୍ତି, "କାହାନ୍ତି ମୋ ପ୍ରିୟତମ? କେଉଁଆଡ଼େ ଲୁଚିଗଲେ? ଆଉ କ'ଣ ଚର୍ମଚକ୍ଷୁରେ ଦେଖିପାରିବି ନାହିଁ ତାଙ୍କ ରୂପ ଲାବଣ୍ୟକୁ?" କାନ୍ଦି କାନ୍ଦି ପାଗଳିନୀ ପ୍ରାୟ ଲୋଟି ଯାଉଛନ୍ତି ଧରଣୀ ବକ୍ଷରେ । ସେ ପାଗଳିନୀ ଆଉ କେହି ନୁହଁନ୍ତି, କୃଷ୍ଣ ବିରହିଣୀ, ଅପ୍ରାକୃତ ପ୍ରେମ ପୂଜାରିଣୀ, ହ୍ଲାଦିନୀ ଶକ୍ତି ସ୍ୱରୂପା ବୃଷଭାନୁ ରାଜନନ୍ଦିନୀ ଶ୍ରୀରାଧା । ନଟନାଗରଙ୍କର ବିହୁନେ ତାଙ୍କ ଜୀବନ ହୋଇଉଠିଛି ଅଲୋଡ଼ା । ବଞ୍ଚିବାର ଆବଶ୍ୟକତା ସତେ ଯେପରି ତୁଚ୍ଛ ହୋଇଉଠିଛି । ଶୟନେ ସପନେ ଯାହାଙ୍କ ଭାବନା ମନକୁ ଆଛନ୍ନ କରିଛି, ସେ ଯଦି ପର କଲେ, ତେବେ ବଞ୍ଚିବେ କାହା ପାଇଁ? ଅତୀତର ଘଟଣାବଳିକୁ ରୋମନ୍ଥନ କରି ବିଳପି ଉଠୁଛନ୍ତି ଶ୍ରୀକୃଷ୍ଣ ବିରହିଣୀ ଶ୍ରୀରାଧା । କାହ୍ନୁ, ସତରେ କ'ଣ ଆଉ ଗୋପପୁର ଫେରିବେନି? ପୂଣ୍ୟତୋୟା ଯମୁନା ଆର ପାରିରେ ଦ୍ୱାରକା । ଋକ୍ମଣୀ, ସତ୍ୟଭାମା ସମେତ ଦିବ୍ୟ ଅଷ୍ଟପାଟ ମହିଷୀଗଣ ଅନୁରୋଧ କରିଛନ୍ତି ମା' ରୋହିଣୀଙ୍କୁ ଶ୍ରୀରାଧା ଏବଂ ଗୋପୀଜନମାନଙ୍କ ସହ ଶ୍ରୀକୃଷ୍ଣଙ୍କର ବ୍ରଜଲୀଳା ସମନ୍ଧରେ କିଛି କହିବାପାଇଁ । ଏହି କଥାରେ ମା'ଙ୍କର ଆଖି ଛଳ ଛଳ ହୋଇଯାଇଛି । "ଶ୍ରୀକୃଷ୍ଣ ଗୋପୀଙ୍କର ଭାବ, ଯେ ବ୍ରହ୍ମା ଶିବଙ୍କୁ ଦୁର୍ଲଭ । ��େ କହପାରେ ତହିଁ ସ୍ୱାଦ, ବିଷୟା ବିଷକୁ ସେ ଗଦ ।।" ତଥାପି ମା' ରୋହିଣୀ ସେଇ ଛଳ ଛଳ ଆଖିରେ କହିଚାଲିଛନ୍ତି କାହ୍ନୁଙ୍କର ସର ଲବଣୀ ଚୋରି କରି ଖାଇବାଠାରୁ ନିକୁଞ୍ଜ କାନନରେ ପବିତ୍ର ରାସଲୀଳା ପର୍ୟ୍ୟନ୍ତ ଘଟଣାବଳିକୁ । ବ୍ରଜଲୀଳାଠାରୁ ଶ୍ରେଷ୍ଠ ଲୀଳା ପ୍ରଭୂଙ୍କର ଆଉକିଛି ନାହିଁ । ଅଷ୍ଟପାଟ ମହିଷୀଗଣ ଅବଗତ ହୋଇଗଲେଣି ଯେ ଶ୍ରୀରାଧା କିପରି କୃଷ୍ଣଙ୍କ ବିନା ପାଗଳିନୀ । ଦୈହିକ କାମନା ବାସନାର ଉର୍ଦ୍ଧ୍ୱରେ ଥିଲା ଶ୍ରୀରାଧାଙ୍କର ଚିନ୍ତା ଓ ଚେତନା । ଅପ୍ରାକୃତ ପ୍ରେମର ସେ ଥିଲେ ପୂଜାରିଣୀ । ମା' ରୋହିଣୀ ବ୍ରଜଲୀଳା ବର୍ଣ୍ଣନା କରୁଥିବା ସମୟରେ ସମସ୍ତଙ୍କ ଅଗୋଚରରେ ଦ୍ୱାରବନ୍ଧ ପାଖେ ପରମ ପ୍ରେମମୟ ଶ୍ରୀକୃଷ୍ଣଚନ୍ଦ୍ର, ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା, ଭାଇଭଉଣୀ ତିନିଜଣ, ଗୋପାଙ୍ଗନା ସର୍ବୋପରି ଶ୍ରୀରାଧାଙ୍କର ଅପ୍ରାକୃତ ପ୍ରେମର ଗାଥା ଶ୍ରବଣ କରି ଏପରି ଆତ୍ମବିଭୋର ହୋଇଗଲେ ଯେ ସେମାନଙ୍କ ଅଙ୍ଗ ବିଗଳିତ ହେବାକୁ ଲାଗିଲା । ସହସା ସେମାନଙ୍କ ପାଖେ ଦେବର୍ଷି ନାରଦ ଉପସ୍ଥିତ ହୋଇ କରଯୋଡ଼ି କହିଲେ, "ପ୍ରଭୂ ଆଜି ମୁଁ ଯେଉଁ ହସ୍ତ, ପଦ ବିଗଳିତ ରୂପ ଆପଣଙ୍କର ଦେଖିବାକୁ ପାଉଛି, ସେହି ରୂପରେ ଆପଣ ଅନ୍ୟ ଭକ୍ତମାନଙ୍କୁ ଦର୍ଶନ ଦେବାର ସୁଯୋଗ ଦିଅନ୍ତୁ ।" ମହାପ୍ରଭୂ କହିଲେ, "ତଥାସ୍ତୁ, ହେ ଦେବର୍ଷି, କଳିଯୁଗରେ ଆମ୍ଭେ ତିନି ଜଣ ଏହିପରି ହସ୍ତପାଦ ବିହିନ ହୋଇ ନୀଳାଚଳରେ ଭକ୍ତଙ୍କୁ ଦର୍ଶନ ଦେବୁ ।" ରାଧା ତତ୍ତ୍ୱରେ ସୃଷ୍ଟିରେ ସବୁକିଛି ଆତଯାତ ହେଉଛି । "ରାଧା ବୋଲି ଅଟେ ଯେଉଁ ଦିଓଟି ଅକ୍ଷର ସମାନ ନୁହଁଇ ତାଙ୍କୁ ଚତୁର୍ଦ୍ଦଶ ପୁର । ରାଧା ନାମେ ଗଙ୍ଗା ଯାଏ ତିନିପୁରେ ବହି, ରାଧା ନାମେ ଚନ୍ଦ୍ର ସୂର୍ଯ୍ୟ ଆତଯାତ ହୋଇ ॥" (ଚିତ୍ତବିନୋଦ) ଶ୍ରୀଜଗନ୍ନାଥଙ୍କୁ ଶ୍ରୀରାଧାକୃଷ୍ଣଙ୍କର ପ୍ରେମମୟ ସ୍ୱରୂପ ରୂପେ ପଞ୍ଚଗୋସ୍ୱାମୀ ସଖାମାନଙ୍କ ଆଗେ ବର୍ଣ୍ଣନା କରି ଶ୍ରୀଚୈତନ୍ୟ ମହାପ୍ରଭୁ ଆନନ୍ଦରେ ବିଭୋର ହୋଇଯାଉଥାନ୍ତି । ସେ ଶ୍ରୀଜଗନ୍ନାଥଙ୍କୁ ରାଧାକୃଷ୍ଣଙ୍କର ଏକଇ ବିଗ୍ରହ ଭାବେ ଦର୍ଶନ କରିଛନ୍ତି । ଶ୍ରୀଚୈତନ୍ୟଙ୍କ ବହୁ ପୂର୍ବରୁ, ଜଗତ୍ ଗୁରୁ ଆଦି ଶଙ୍କରାଚାର୍ଯ୍ୟ ଏହି ଦିବ୍ୟ ବିଗ୍ରହଙ୍କ ସମନ୍ୱୟ ଭାବକୁ ବୁଝିପାରି ରଚନା କରିଯାଇଛନ୍ତି ‘ଜଗନ୍ନାଥାଷ୍ଟାକମ୍’। ଏହାର ୬ଷ୍ଠ ପଦରେ ଶ୍ରୀଜଗନ୍ନାଥଙ୍କୁ ରାଧା ଏବଂ କୃଷ୍ଣଙ୍କ ସମ୍ମିଳିତ ବିଗ୍ରହ ବୋଲି ବର୍ଣ୍ଣନା କରାଯାଇଛି । "ପରବ୍ରହ୍ମାପୀଡ଼ଃ କୁବଲୟଦଳୋତ୍ଫୁଲ୍ଲ ନୟନୋ ନିବାସୀ ନୀଲାଦ୍ରୌ ନିହିତଚରଣୋନଂତଶିରସି ରସାନଂଦୋ ରାଧା ସରସବପୁରାଲିଂଗନସୁଖୋ ଜଗନ୍ନାଥଃ ସ୍ଵାମୀ ନୟନପଥଗାମୀ ଭବତୁ ମେ ।।୬।।" ପଞ୍ଚଗୋସ୍ୱାମୀ ସଖାମାନେ ରାଧାକୃଷ୍ଣଙ୍କ ଲୀଳାକୁ ଜୀବପରମଙ୍କ ଲୀଳାରୂପେ ମଧ୍ୟ ଅଭିହିତ କରିଛନ୍ତି । ନାସିକାର ଦୁଇପୁଡ଼ାରେ ଦ୍ୱାଦଶ ବୃନ୍ଦାବନ ସହ ରାଧାକୃଷ୍ଣଙ୍କ ଲୀଳା, ସାଧନା ଚକ୍ଷୁରେ ଦେଖି ଅତିବଡ଼ୀ ତୁଳାଭିଣାରେ ଲେଖିଛନ୍ତି, "ନାସିକା ଏ ବେନି ପୁଡ଼ାରେ । ରାଧିକାକୃଷ୍ଣ ସହିତରେ, ଦ୍ୱାଦଶ ବୃନ୍ଦାବନ ଏହି । କେଳି କରନ୍ତି କୃଷ୍ଣ ରହି ।।" ତେବେ, ପ���ରତିଟି ଓଡ଼ିଆର ପ୍ରାଣରେ, ଚେତନାରେ ଶ୍ରୀବିଗ୍ରହଙ୍କର ଏହି ତତ୍ତ୍ୱମାନ ନିରନ୍ତର ବିଦ୍ୟମାନ କାରଣ ପ୍ରତି ଓଡ଼ିଆପାଇଁ ଶ୍ରୀଜଗନ୍ନାଥ ହେଉଛନ୍ତି ତା' ପ୍ରାଣର ପ୍ରାଣ, ଚେତନାର ଚେତନା, ଅତି ଶ୍ରଦ୍ଧାରେ ତା' କାଳିଆସୁନା । ଭୋକ ବିକଳିଆ ତା' ପ୍ରଭୁ, ଚଉଦ ଦିନ ହେଲା କିଛି ଖାଇନାହାନ୍ତି, ରାଜବୈଦ୍ୟଙ୍କର ଉପଚାର ସହିତ ନିଜ କୁଟୁମ୍ବାଦିଜନଙ୍କର ସେବା ପାଇଁ ଏବେ ରୋଗରୁ ଉଠିଛନ୍ତି । ରତ୍ନସିହାଂସନାରୁଢ଼ ହୋଇ ଦୁଇ ବିଶାଳ ଭୂଜ ଲମ୍ବାଇ ପୁନଶ୍ଚ ଡାକି ଡାକି କହିବେ, "ମୁଁ ଖାଲି ତୁମ୍ଭମାନଙ୍କର ସେବ୍ୟ ନୁହେଁରେ... ମୁଁ ସମସ୍ତ ଜୀବ ଜଗତର ପ୍ରଥମ ସେବକ । ମୋ ସେବାରେ ବିରାମ ନାହିଁ । ଯଦି କେଉଁଠି କେବେ ବିରାମ ହେଲା ତେବେ ସେଠି ପ୍ରଳୟ । ତା' ସଂସାର ଚହଲି ଯିବ । ସବୁକିଛି ସ୍ଥାଣୁ ପାଲଟି ଯିବ ।" ସେଇ ଚନ୍ଦ୍ରସୂର୍ଯ୍ୟ ଭଳି ଦୁଇ ଆଖିକୁ ଦେଖି ମହାପୁରୁଷ ଅଚ୍ୟୁତାନନ୍ଦ ଗାଇଉଠିଛନ୍ତି, "ଆଖିକୁ ଆଖିରେ ଦେଖରେ ବାବୁ ଆଖି ସେବିଲେ ଚକାଆଖି ପାଇବୁ ।।" ଜୟ ଶ୍ରୀରାଧେକୃଷ୍ଣ - କପିଳେଶ୍ଵର ମିଶ୍ର Read the full article
0 notes
Text
ଏ କି ପରିସ୍ଥିତି?
ସାରା ପୃଥିବୀକୁ କରୋନା ବ୍ୟାପିଛି ମହାମାରୀ ରୂପ ନେଇ, ଜୀବନ ହାରିଲେ ଲକ୍ଷ ଲକ୍ଷ ଲୋକ ସତେ ପୋକମାଛି ହୋଇ । ନାହିଁ ନିଦ ଆଜି କାହାରି ଆଖିରେ ହୋଇଛି ଚିନ୍ତା ବିଷୟ, ସମସ୍ତଙ୍କ ମନେ କୋହର ସମୁଦ୍ର ପରିସ୍ଥିତି ଆଜି ଅସହ୍ୟ । ଘରେଘରେ ଆଜି ଶୁଭଇ କ୍ରନ୍ଦନ ଶୋକର ଛାୟା ଖେଳିଛି, ଏ ସାରା ଜଗତ ହାହାକାର ଆଜି ସବୁଠି ଭୟ ଦିଶୁଛି । ସରକାର ଆଜି କରନ୍ତି ଘୋଷଣା ସମସ୍ତେ ଘରେ ରୁହନ୍ତୁ, ନିଜ ଘରଦ୍ୱାର ନିଜ ପରିବେଶ ସମସ୍ତେ ସୁସ୍ଥ ରୁହନ୍ତୁ । ଡାକ୍ତର ପୋଲିସ ଘରକୁ ଯିବେନି ଏମାନଙ୍କୁ ଆଜି ମନା, ପ୍ରାର୍ଥନା କରିବା ଏମାନଙ୍କ ପାଇଁ ନ ଆସୁ ଦୁଃଖ ଯାତନା । ଜଗତର ନାଥ ଆହେ ଜଗନ୍ନାଥ ଆସ ଏକାଳ କଳିରେ, ଦୁଷ୍ଟ କରୋନାକୁ ନାଶ କରିଦିଅ ଜନମ ନିଅ ମହୀରେ । - କୃଷ୍ଣେନ୍ଦୁ ହୋତା Read the full article
0 notes
Text
ପୁରୁଷ ସିଂହ: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ
ସେଦିନ ଜମିଦାରୀର ଅନ୍ୟ ଏକ ଭାଗ ପୁରୀ ଜିଲ୍ଲା ଡେଲାଙ୍ଗରେ ଦିବଙ୍ଗତ ମହାନାୟକ ବିଜୁ ବାବୁଙ୍କ ପିତା ଦିୱାନ ଲକ୍ଷ୍ମୀନରାୟଣ ପଟ୍ଟନାୟକ ସହ ଉପସ୍ଥିତ ହୋଇଗଲେ ମହାରାଜ । କାରଣ, ଜାତିର ପିତାଙ୍କ ଆଗମନ ହୋଇଥାଏ, ଗାନ୍ଧିଜୀ ଉକ୍ତ ଦିନ ଦିନିକିଆ ମୌନ ବ୍ରତରେ ଥାଆନ୍ତି । କିଛି ଉପହାର ସହ ଭେଟିବାକୁ ଯାଇ, ମହାରାଜ ଗୋଟିଏ ପ୍ରଶ୍ନ କରିଲେ, "ଆପଣ ମୋ ରାଜ୍ୟକୁ ବୁଲିଆସିଥିଲେ ଏହା କିପରି ଲାଗିଲା ?" ଏକ ଛୋଟିଆ କାଗଜରେ ପେନ ସିଲରେ ଉତ୍ତରରେ ଲେଖିଗଲେ ତୁମ ରାଜ୍ୟ "ରାମ ରାଜ୍ୟ" । କହିବାକୁ ଗଲେ ଠିକ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଙ୍କ ଭଳି ବ୍ୟକ୍ତିଗତ ଜୀବନର ପ୍ରତି ମୁହୂର୍ତ୍ତରେ ଦୁଃଖ ସହି ପ୍ରଜା ପାଳନରେ କ୍ଷଣେ ମାତ୍ର ଅବହେଳା ନକରିଥିବା ରାଜା ଥିଲେ ମହାରାଜା କୃଷ୍ଣଚନ୍ଦ୍ର । ଜୀବନର ପ୍ରାରମ୍ଭରେ ପିତୃବ୍ୟ, ପରେ ପିତା, ଯୌବନରେ ସ୍ତ୍ରୀ ଓ ମାତା ପରେ ଜୀବନର ସାୟାହ୍ନରେ ପୁତ୍ର ଓ ଶେଷ ଅବସ୍ଥାରେ ପୁତ୍ରୀର ବିୟୋଗ ଯେ ଏତେ ଦାରୁଣ ଦୁଃଖ ଦେଇଥିଲା ହୁଏତ ଏହା ବହୁତ କମ ଲୋକଙ୍କୁ ଗୋଚର । ତଥାପି ��େ ଥିଲେ ଶତ ସିଂହ ସମ ପରାକ୍ରମୀ, ଧୌର୍ଯ୍ୟବାନ ଓ ବିଜ୍ଞ । ଜୀବନର ଝଡ଼ ଝଞ୍ଜା ଭିତରେ ସେ ସୁଖକୁ ଖୋଜିପାଇଥିଲେ ମାଟି ମା'ର ସେବା କରିବାରେରେ, ପ୍ରଜା ମୁହଁରେ ହସ ଫୁଟାଇବାରେ । ଆଉ ତାଙ୍କରି ଏହି ଅନନ୍ୟ ପ୍ରଚେଷ୍ଟା ହିଁ ହସ ଫୁଟାଇ ପାରିଥିଲା କୋଟି ଓଡ଼ିଆଙ୍କ ମୁହଁରେ ଏପ୍ରିଲ ପହିଲା ୧୯୩୬ ମସିହାରେ । ଆଜି ମହାରାଜାଙ୍କ ଜନ୍ମ ଜୟନ୍ତୀ । ଆଜକୁ ଠିକ୍ ୧୨୮ ବର୍ଷ ତଳେ ଗଙ୍ଗବଂଶୀ ନରେଶ ରାଜା ଶ୍ରୀ ଗୌରଚନ୍ଦ୍ର ଗଜପତି ଓ ମାତା ରାଧାମଣିଙ୍କ ଔରସରୁ ୨୬ ଅପ୍ରେଲ ୧୮୯୨ ମସିହାରେ ଜନ୍ମଗ୍ରହଣ କରିଥିଲେ ପୁଣ୍ୟତୋୟା ମହେନ୍ଦ୍ର ତନୟା ତଟସ୍ଥ ବାଣୀକ୍ଷେତ୍ର ପାରଳାଖେମୁଣ୍ଡି ରାଜ ନହରରେ । ପିଲାଟି ଦିନରୁ ଶିକ୍ଷା ଦୀକ୍ଷା ପାଇଥିଲେ ପଣ୍ଡିତ ଶ୍ୟାମସୁନ୍ଦର ରାଜଗୁରୁ, ଆପନ୍ନା ପଣ୍ଡା ଓ ଟେଲର ସାହେବଙ୍କ ଭଳି ଜ୍ଞାନୀ ଗୁଣୀଙ୍କ ଠାରୁ । ଆଉ ହଁ ଗଛ ଉର୍ବର ସାର ପାଇଲେ ଭଲ ଫଳିବା ତ ସୁନିଶ୍ଚିତ । ଠିକ ସେହି ଭଳି କୃଷ୍ଣଚନ୍ଦ୍ର ହୋଇଥିଲେ ବହୁପ୍ରତିଭାର ଅଧିକାରୀ ଆଉ ଦୂରଦର୍ଶୀ । ତେବେ, ଓଡ଼ିଆଙ୍କ ଦୁର୍ଦ୍ଦିନର ଅନ୍ଧକାରରେ କୃଷ୍ଣଚନ୍ଦ୍ର ସାଜିଥିଲେ ପୂର୍ଣ୍ଣିମାର ଚନ୍ଦ୍ର । ସେ ବାଲ୍ୟକାଳରୁ ହିଁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ସ୍ୱପ୍ନ ଦେଖିଥିଲେ । ନିଜ ଗୁରୁଙ୍କ ଦ୍ୱାରା ପ୍ରତିଷ୍ଠିତ ଉତ୍କଳ ହିତୈଷିଣୀ ହେଉ କି ଗଞ୍ଜାମ ଜାତୀୟ ସମିତି । ଖଣ୍ଡ ବିଖଣ୍ଡିତ ଓଡ଼ିଶା ପ୍ରଦେଶକୁ ଏକତ୍ରିକରଣ ପାଇଁ ସେ ମନସ୍ଥ ଛୋଟବେଳୁ ହିଁ କରିଥିଲେ । ଇତି ମଧ୍ୟରେ ୯ଟି ଉତ୍କଳ ସମ୍ମିଳନୀ ହୋଇ ସାରିଥାଏ । ଉତ୍କଳ ସମ୍ମିଳନୀର ୧୦ମ ଅଧିବେଶନ ପାରଳାଖେମୁଣ୍ଡିରେ ହେଲା । ମାମୁଁ ରାଜର୍ଷି ବିକ୍ରମଦେବ ବର୍ମା ଏହାର ସଭାପତିତ୍ୱ କରିଥାନ୍ତି । "ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ" ଗଠନ କରିବା ଆବଶ୍ୟକ ବୋଲି ଗଜପତି ପ୍ରସ୍ତାବ ଦେଲେ । ମଧୁବାବୁ ଏଥିରେ ସହମତି ଦେଲେ । କିନ୍ତୁ ଏ ସମୟରେ ନୀଳକଣ୍ଠ ଦାସ କହିଥିଲେ ସ୍ୱତନ୍ତ୍ର ଭାଷାଭିତ୍ତିକ ରାଜ୍ୟ ପାଇଁ ପ୍ରଥମେ ଶିକ୍ଷାର ଆବଶ୍ୟକତା ରହିଛି । କିନ୍ତୁ ଏତେ ବଡ଼ ଭୂଖଣ୍ଡରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପଢ଼ିବା ଓ ପଢ଼ାଇବାର ଖର୍ଚ୍ଚ ବହନ କରିବା ସମ୍ବଳ ଉତ୍କଳ ସମ୍ମିଳନୀ ପାଖରେ ନାହିଁ । ଏହା ଶୁଣି ମହାରାଜା ଦଶହଜାର ଟଙ୍କା ତତ୍କ୍ଷଣାତ ବ୍ୟୟ କରିଥିଲେ । ଆଉ ଏହିଠାରୁ ସେ ନିଜ ରାଜକୋଷର କବାଟ ଖୋଲି ଦେଇଥିଲେ ସମଗ୍ର ଓଡ଼ିଶାର ହିତ ପାଇଁ । ଯାହା କେବେ ତାଙ୍କ ଶେଷ ନିଦ୍ରା ଯାଏଁ ବନ୍ଦ ହୋଇ ନଥିଲା । ଉତ୍କଳ ସମ୍ମିଳନୀ ପ୍ରଥମେ ଚାହୁଁଥିଲା କେବଳ ଓଡ଼ିଆ ଭାଷାଭାଷୀର ଏକତ୍ରୀ କରଣ ଓ ଏକଶାସନ ଅଧୀନ । କିନ୍ତୁ ଏଥିରେ ମତଦ୍ୱେଧ ଥିଲା । କେତେକ ବଙ୍ଗରେ ତ ଆଉ କେତେକ ମଧ୍ୟପ୍ରଦେଶରେ ରହିବାକୁ ଚାହୁଁଥିଲେ । ମଣ୍ଟେଗୁ ଚେମ୍ସ୍ ଫୋର୍ଡ୍ ଶାସନ ସଂସ୍କାର ବେଳେ ଓଡ଼ିଶାକୁ ବିହାରର ଏକ ଉପପ୍ରଦେଶ ଗଠନ କରିବା ଲାଗି ମସୁଧା ହୋଇ ନଥିଲେ ଏହି ସ୍ୱତନ୍ତ୍ର ପ୍ରଦେଶ ଦାବି ��ରମ୍ଭ ହୋଇ ନଥାନ୍ତା । ଆଉ ଏହା ସଫଳ ହୋଇଥିଲା ମହାରାଜାଙ୍କ ଦୃଢ଼ ମନୋବଳ ଲାଗି । ଡଫ୍ଙ୍କ ଉପରେ କୃଷ୍ଣଚନ୍ଦ୍ରଙ୍କ ବ୍ୟକ୍ତିଗତ ପ୍ରଭାବ ଯୋଗୁଁ ସେମାନେ ମାଡ୍ରାସ ଭାଗରେ ଥିବା ଓଡ଼ିଶାର ଦକ୍ଷିଣ ଅଞ୍ଚଳକୁ ମିଶିବା ଲାଗି ସୁପାରିସ୍ ଦେଲେ । ଏହାପରେ ୧୯୨୮ ମସିହାରେ ସାଇମନ କମିଶନ ଭାରତକୁ ଶାସନ ସଂସ୍କାର ନିମିତ୍ତ ଆସିଲେ । ଏଥିରେ ସମସ୍ତ ଇଂରେଜ ସଭ୍ୟ ଥିବାରୁ ସାରା ଦେଶ ଓ ଜାତୀୟ କଂଗ୍ରେସ ଏହାର ବର୍ଜନ କଲେ । କିନ୍ତୁ ଓଡ଼ିଶା ନିହିତ ସ୍ୱାର୍ଥ ପାଇଁ କେବଳ ଏକମାତ୍ର କୃଷ୍ଣଚନ୍ଦ୍ର Welcome Simon କହିଥିଲେ ପାଟନାର ବିହାର ଓଡ଼ିଶା ସଭାରେ । ଯାହାକି ପରବର୍ତ୍ତୀ ସମୟରେ ସି. ଆର. ଅଟଲିଙ୍କ ଓଡ଼ିଶା ଉପସମିତି ଗଠନ କରିବାରେ ସହାୟକ ହୋଇଥିଲା । ଖାଲି ଏତିକି ନୁହେଁ ୧୯୩୦, ୧୯୩୨ରେ ଲଣ୍ଡନରେ ଅନୁଷ୍ଠିତ ପ୍ରଥମ ଓ ତୃତୀୟ ଗୋଲଟେବୁଲ ବୈଠକରେ କେବଳ ଯେ ଓଡ଼ିଶାର ଦାବୀ ବଳିଷ୍ଠ ଭାବେ ଉପସ୍ଥାପିତ କରିନଥିଲେ । ବରଂ ବ୍ୟକ୍ତିଗତ ଭାବେ ସଭ୍ୟମାନଙ୍କୁ ଭୋଜି ଭାତ ଦେଇ ଆପ୍ୟାୟିତ କରି ସବ୍କମିଟିର ମତ ସେଥିରେ ଓଡ଼ିଶାର ହିତ ହେବାରେ ସାହାଯ୍ୟ କରିଥିଲେ । ଏତେ ଉଦ୍ୟମ ସତ୍ତ୍ୱେ ୧୯୩୧ ମସିହା ଓଡ଼ିଶା ସୀମା ନିର୍ଦ୍ଧାରଣ ଲାଗି ଭାରତ ସରକାର ସାର୍ ସମୁଏଲ୍ ଓଡନେଲ୍ଙ୍କ ଅଧ୍ୟକ୍ଷତାରେ ୩ ଜଣିଆ କମିଟି ଗଠନ କରିଥିଲେ, ସେମାନେ ଦୁଇଜଣ ଭାରତୀୟ ସଭ୍ୟଙ୍କ ମତ ବିରୁଦ୍ଧରେ ଯାଇ ମାନ୍ଦ୍ରାଜର କେତେକ ଗୋରା କର୍ମଚାରୀଙ୍କ କୁପରାମର୍ଶରେ ମହାରାଜାଙ୍କ ମତକୁ ପ୍ରତ୍ୟାଖ୍ୟାନ କଲେ । ପାରଳା ଓ ଜୟପୁର ଆଦି ଓଡ଼ିଶାରେ ମିଶିବାକୁ ଚାହାନ୍ତି ନାହିଁ ବୋଲି ଲେଖିଦେଲେ । ଯେ ସମଗ୍ର ଦେଶରେ ଛିନ୍ନ ବିଛିନ୍ନ ହୋଇପଡ଼ିଥିବା ରାଜ୍ୟବାସୀଙ୍କୁ ଏକତ୍ର କରିବାର ପଣ ନେଇଥିଲେ ସେ ନିଜ ଜନ୍ମମାଟି ପ୍ରତି ଅନ୍ୟାୟକୁ ସହନ୍ତେ ବା କିପରି? ସେ ପୁନର୍ବାର ୩ୟ ଥର ପାଇଁ ଲଣ୍ଡନ ଯାଇ ପ୍ରତିବାଦର ସ୍ୱର ଲର୍ଡ୍ ଲିନଲିଥଗୋଙ୍କ ଠାରେ ପହଞ୍ଚାଇଲେ । ପ୍ରକାଶ ଥାଉ କି ଏ ସମସ୍ତ ଗସ୍ତ ଖର୍ଚ୍ଚ ସେ ନିଜ ମୁଣାରୁ ଖର୍ଚ୍ଚ କରୁଥିଲେ । ସର୍ବଶେଷରେ ମହାରଜାଙ୍କ ପରିଶ୍ରମ ଫଳପ୍ରଦ ହେଲା । କିଛି ମନ୍ଦ ବୁଦ୍ଧିଙ୍କ କୁଟିଳ ଚକ୍ରାନ୍ତ ଯୋଗୁଁ ପାରଳାର ଏକ ତୃତୀୟଂଶ ହିଁ ମିଶି ପାରିଲା ଓ ଜୟପୁରର ମଧ୍ୟ ଓଡ଼ିଶାରେ ମିଶ୍ରଣ ହେଲା ୧୯୩୬ ମସିହାରେ । ଇଂରେଜମାନେ ଓଡ଼ିଶା ଅଧିକାର କଲା ପରେ ରାଜାମାନଙ୍କୁ ଜମିଦାର ଭାବରେ ବ୍ୟବହାର କରୁଥିଲେ । କିନ୍ତୁ ପାରଳାଖେମୁଣ୍ଡି ରାଜବଂଶର ମହାନତାକୁ ଦେଖି କୃଷ୍ଣଚନ୍ଦ୍ରଙ୍କୁ ୧୯୧୮ରେ ବ୍ରିଟିଶ ସରକାର ରାଜା ସାହେବ ଉପାଧି ପ୍ରଦାନ କଲେ । ପରବର୍ତ୍ତୀ କାଳରେ ଗଜପତିଙ୍କ ସାହାସିକତା ଓ କାର୍ଯ୍ୟଦକ୍ଷତାକୁ ଦେଖି ୧୯୩୭ରେ ତାଙ୍କୁ "ମହାରାଜା" ଉପାଧି ଦେଲେ । ପୁଣି ସେ ପ୍ରଥମ ବିଶ୍ଵଯୁଦ୍ଧରେ କ୍ୟାପଟେନ ଭାବେ ନିଜର ଦକ୍ଷତା ପ୍ରତିପାଦନ କରିଥିବାରୁ ବ୍ରିଟିଶ ସରକାର ତାଙ୍କୁ ଦେଇଥିଲେ KCIE ଉପାଧି । ନବ ଉତ୍କଳର ବିନ୍ଧାଣିମାନଙ୍କର ଥିଲେ ସେ ଶ୍ରୀକରଣି । ମଧୁବାବୁଙ୍କ ଠାରୁ ଗୋଦାବରୀଶ, ସମସ୍ତଙ୍କ ପ୍ରିୟ ��ି��େ ମହାରଜା । ଏଭଳି ମହାନ ବ୍ୟକ୍ତିତ୍ୱ ଓ ବହୁମୁଖୀ ପ୍ରତିଭାର ଅଧିକାରୀ ଆମ ଓଡ଼ିଶାର ପ୍ରଥମ ପ୍ରଧାନ ମନ୍ତ୍ରୀ ହେବା କିଛି ଆଶୀର୍ବାଦରୁ କମ ନଥିଲା । ୧୯୪୩ ମସିହାରେ ଓଡ଼ିଶାରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବା ପ୍ରସଙ୍ଗ ଉଠିବାରୁ ଶିକ୍ଷା ବିଭାଗର କିଛି କର୍ମଚାରୀ ଗୋଦାବରୀଶ ମିଶ୍ରଙ୍କୁ ସହଯୋଗ କରିବା ପରିବର୍ତ୍ତେ ହସରେ ଉଡ଼ାଇ ଦେଲେ । ତତ୍କାଳୀନ ସଚିବ ସାମୁଏଲ୍ ଦାସ କହିଲେ, ଏଣେ ବଙ୍ଗାଳୀ ତେଣେ ତେଲେଙ୍ଗା । ବିଶ୍ୱବିଦ୍ୟାଳୟ ସ୍ଥାପନ କ'ଣ ହେବ?? ଏକଥା ଶୁଣି ମହାରାଜ କୃଷ୍ଣଚନ୍ଦ୍ର ବଡ଼ଲାଟ୍ ହାଥର୍ଣ୍ଣ ଲୁଇସ୍ଙ୍କୁ ଅଡ଼ି ବସିଲେ, କହିଲେ ବିଶ୍ୱବିଦ୍ୟାଳୟ ହେବ, ନଚେତ ମୁଁ ଇସ୍ତଫା ଦେବି । ଏହା ଶୁଣି ଭିଭି ଜନ୍ ୨ ଦିନରେ କଟକ ପହଞ୍ଚିଲେ । ପ୍ରାଣକୃଷ୍ଣ ପରିଜା, ବିପିନ ବିହାରୀ ରାୟ ପ୍ରଭୃତିଙ୍କ ସଙ୍ଗେ ପରାମର୍ଶ କ୍ରମେ ଶେଷରେ ବିଲ୍ ପ୍ରସ୍ତୁତ କରାଇଲେ । କେବଳ ସେତିକି ନୁହେଁ, ଜିଲ୍ଲା ସଦର ମହାକୁମାଗୁଡ଼ିକର ସ୍କୁଲକୁ କଲେଜରେ ପରିଣତ କରାଇଥିଲେ । ଏହାପରେ କଟକ ମେଡ଼ିକାଲ କଲେଜ ପ୍ରତିଷ୍ଠା, କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ଓ ବିଭିନ୍ନ କଲେଜରେ ସ୍ନାତକୋତ୍ତର ବିଭାଗ ଉଚ୍ଚ ଶିକ୍ଷା ନିମିତ୍ତ ବ୍ୟବସ୍ଥା କରାଇଥିଲେ । ଏତିକିବେଳେ ବ୍ରହ୍ମପୁର ସୀମା କମିଟିର ସଭାପତି ସବ୍ଜଜ୍ ଗଣେଶ ମହାପାତ୍ରଙ୍କ ଲେଖା ମନେ ପଡ଼ିଯାଏ । "କୃଷ୍ଣଚନ୍ଦ୍ର ଗଜପତି କୀରତି ଅମର ଅଟନ୍ତି କେବଳ ନିଜେ ନିଜ ପଟାନ୍ତର ତାଙ୍କ କାର୍ଯ୍ୟ ବର୍ଣ୍ଣନା କରେଣ ଭାଷା ନାହିଁ ଶେଷ, ସରସ୍ୱତୀ କ୍ଷମତା ବର୍ଣନା ପାଇଁ ଶ୍ଵେତଦଦ୍ୱୀପେ ଜନନୀର ଦେଇ ପରିଚୟ ହେ ବିଜୟୀ ବୀର, ଅର୍ଜି ଆଣିଲ ବିଜୟ ॥" କେବଳ ଯେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଏହାର ପରିଚାଳନାରେ ଧୁରୀଣ ନଥିଲେ । ସେ ଥିଲେ ଓଡ଼ିଆ ସାହିତ୍ୟର ପୃଷ୍ଠପୋଷକ । ପୂର୍ବଜ ମହାରଜା ଜଗନ୍ନାଥ ନାରାୟଣ ଦେବ ୨ୟ, ଜଗନ୍ନାଥ ଗଜପତି ଦେବ ୨ୟ, ପ୍ରତାପ ରୁଦ୍ର ଦେବ ୨ୟ ଭଳି ନରପତିମାନେ କାଳ କାଳ ଧରି ଉକ୍ତ ରାଜବଂଶରେ ଓଡ଼ିଆ ସାହିତ୍ୟର ଶ୍ରୀ ବୃଦ୍ଧି କରିଆସିଥିଲେ, ତାହାର ପଟାନ୍ତର ନାହିଁ । ଆଉ ତାଙ୍କରି ସୁଯୋଗ୍ୟ ସନ୍ତାନ ଏହି ଧାରାକୁ ବନ୍ଦ ବା କିପରି କରିଥାନ୍ତେ । ସେ ଗୁରୁଜନମାନଙ୍କ ସମସ୍ତ କାବ୍ୟ ସମ୍ଭାର ଓ ରଚନାକୁ ନିଜ ପ୍ରେସରେ ପ୍ରକାଶନ କରିଥିଲେ । ୧୭୬୭ର ଶ୍ରୀ ବୃନ୍ଦାବନ ଚନ୍ଦ୍ର ବିହାର ହେଉ କି କବିକଳହଂସ ଗୋପାଳକୃଷ୍ଣଙ୍କ ପଦ୍ୟାବଳୀ ସବୁ ଅମୂଲ୍ୟ ରତ୍ନର ପୁନଃ ଜୀବନ୍ୟାସ ଦେଇଥିଲେ ମହାରଜା । ତାଙ୍କରି ସମୟରେ ଗୌରହରି ପଦ୍ୟାବଳୀ, ହରିବନ୍ଧୁ ପଦ୍ୟାବଳୀ, ପଦ୍ମନାଭ ଦେବ ରଚିତ ଭାବବତୀ, ଗୌରଚନ୍ଦ୍ର ଲିଖିତ ଉଷା ପରିଣୟ, ଧ୍ରୁବ ନାଟକର ନବ ଜୀବନ ଦେଇଥିଲେ । ସେ ଏକାଧାରରେ ସୁ-ଲେଖକ ମଧ୍ୟ ଥିଲେ । ରାଜ୍ୟ ଓ ରାଜକାର୍ଯ୍ୟର ବିବରଣୀ ଓ ଗଜପତି ଇତିହାସକୁ ନେଇ ଏକ ବହି My Samasthanam ବୋଲି ଏକ ପୁସ୍ତକ ରଚନା କରିଥିଲେ । ଏହା ଛଡ଼ା ସ୍ୱ-ଇଚ୍ଛା କ୍ରମେ ଗୁରୁ ଶ୍ୟାମସୁନ୍ଦର ବି��ଚିତ ପ୍ରବନ୍ଧାବଳୀ, ଦଶମାଳିକା ତତ୍ତ୍ୱବୋଧନୀ ଆଦି ଗ୍ରନ୍ଥର ମୁଦ୍ରଣ କରିଥିଲେ । "ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ"ର ୫ମ ଖଣ୍ଡ, ଶବ୍ଦତତ୍ତ୍ୱବୋଧ ଅଭିଧାନ, ଓଡ଼ିଆ ଭାଷା ତତ୍ତ୍ୱ, ଚିନ୍ତାମଣି ଗ୍ରନ୍ଥାବଳୀ, ମହେନ୍ଦ୍ର ଓ ନୃତ୍ୟ ରାମାୟଣ ଭଳି ବିଖ୍ୟାତ ଗ୍ରନ୍ଥକୁ ଆଲୋକକୁ ଆଣିବା ପାଇଁ ଆର୍ଥିକ ସାହାଯ୍ୟ କରିଥିଲେ । ଓଡ଼ିଆ ଭାଷାର ପ୍ରଥମ ଅଭିଧାନ ରଚନା ପାଇଁ ଅର୍ଥ ସାହାଯ୍ୟ କରିବା ସହ ପଣ୍ଡିତ ଗୋପୀନାଥ ନନ୍ଦ ଶର୍ମାଙ୍କୁ ସ୍ଵବୈତନିକ ଅଧ୍ୟାପନା କାର୍ଯ୍ୟରୁ ଛୁଟି ଦେଉଥିଲେ । ଏଥିସହିତ କୃଷି ଓ ଜଳସେଚନରେ ଉନ୍ନତି ସାଧନ ନିମିତ୍ତ କୃଷ୍ଣଚନ୍ଦ୍ର ସାଗର, ନଳିନୀ କୃଷ୍ଣ ସାଗର ଭଳି ବିରାଟ ସାଗର ଖନନ କରାଇଥିଲେ । ରୟାଲ ଏଗ୍ରିକଲ୍ଚର୍ ସଭ୍ୟ ଭାବେ ବାର୍ଷିକ ଆର୍ଥିକ ସହାୟତା, କୋୟମ୍ବତୁର୍ କୃଷି ମହାବିଦ୍ୟାଳୟର ଉପଦେଷ୍ଟା ରୂପେ ଦକ୍ଷିଣ ଭାରତରେ ଉନ୍ନତ କୃଷି ନିମିତ୍ତ ଅର୍ଥ ଦାନ କରୁଥିଲେ । ମହାରଜା ବାଳକ, ବାଳିକା ବିଦ୍ୟାଳୟ ଭଳି ଅନେକ ଶିକ୍ଷାନୁଷ୍ଠାନର ନିର୍ମାଣ ଓ ବାର୍ଷିକ ଖର୍ଚ୍ଚ ତୁଲାଉ ଥିଲେ । ନାରୀ ଶିକ୍ଷା ପାଇଁ ଏକ ଭବ୍ୟ ଉଚ୍ଚବିଦ୍ୟାଳୟ ନିର୍ମାଣ କରାଇ ସେ ସମୟରେ ଓଡ଼ିଆ ବାଳିକାଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବାରେ ଚେଷ୍ଟା କରିଥିଲେ । ଏଥି ସହ ସଂସ୍କୃତ ମହାବିଦ୍ୟାଳୟର ଉନ୍ନତି ପାଇଁ ଅନେକ ଅର୍ଥ ଦାନ କରିଥିଲେ । ତା'ଛଡ଼ା ୯୬୬୪ ଏକର ଜମି ମଠ ଓ ମନ୍ଦିର ଚାଳନା ପାଇଁ ଦାନ କରିଥିଲେ । ବାସ୍ତବରେ ଉତ୍କଳର ଗୌରବ ଯଦି ମଧୁସୁଦାନ ଦାସ ହୁଅନ୍ତି, ସେହି ଗୌରବର ଉତ୍ତରାଧିକାରୀ ହେବେ ଉତ୍କଳର ବରପୁତ୍ର କୃଷ୍ଣଚନ୍ଦ୍ର ଗଜପତି । ଯେତେବେଳେ ସ୍ୱାଧୀନ ଚିନ୍ତା ଓ ମତ ନିର୍ଭୀକ ଭାବରେ ବ୍ୟକ୍ତ କରିବାରେ ଉତ୍କଳ ଗୌରବଙ୍କ ଭଳି ବ୍ୟକ୍ତିତ୍ୱ ପୂର୍ବ ଭାରତରେ ବିରଳ । ଅପର ପକ୍ଷରେ ଉଦାରତା, ଉତ୍ସର୍ଗୀକୃତ କର୍ମତତ୍ପରତା, ଆହେତୁକ ନିଷ୍ଠା ଓ ସର୍ବୋପରି ଉତ୍କଳର ଗୌରବ ବୃଦ୍ଧି ନିମିତ୍ତ ସାଙ୍ଗଠନିକ ଦକ୍ଷତାକୁ କୃଷ୍ଣଚନ୍ଦ୍ରଙ୍କ ସହ କେହି ସରି ହେବ ନାହିଁ, ଏହା ନିଃସନ୍ଦେହ । ବିପୁଳ ସମ୍ପତ୍ତିର ଅଧିକାରୀ ହୋଇ ମଧ୍ୟ ସେ ନିଜର ଭୋଗ ବିଳାସରେ ତାକୁ ବ୍ୟୟ ନକରି ଜୀବନକୁ ନିରାଡ଼ମ୍ବର ଓ ସୁସଂଯତ ଭାବରେ ଗଢ଼ି ତୋଳି ଥିଲେ, କେବଳ ଏ ଜାତି ଓ ତା'ର ସ୍ୱତନ୍ତ୍ରତା ନିମିତ୍ତ । - ବିଷ୍ଣୁ ମୋହନ ଅଧିକାରୀ Read the full article
0 notes
Text
ନାଟ୍ୟ ସାହିତ୍ୟର ଅନନ୍ୟ ବିନ୍ଧାଣି- ଗୋପାଳ ଛୋଟରାୟ
ଆଧୁନିକ ଓଡ଼ିଆ ନାଟ୍ୟ ସାହିତ୍ୟକୁ ଅନୁପମ ସୃଷ୍ଟିରେ ଶ୍ରୀମନ୍ତ ଓ ରୁଦ୍ଧିମନ୍ତ କରିଥିବା ସ୍ରଷ୍ଟାମାନଙ୍କ ମଧ୍ୟରେ ଗୋପାଳ ଛୋଟରାୟ ଥିଲେ ଅନ୍ୟତମ । ସେ ଏକାଧାରରେ ଥିଲେ ଜଣେ ନାଟ୍ୟକାର, ଅଭିନେତା, ଗୀତିନାଟ୍ୟର ରଚୟିତା ତଥା ମାର୍ଗ ନିର୍ଦ୍ଦେଶକ, କଥାକାର, ଜୀବନୀକାର, ଚଳଚ୍ଚିତ୍ରର ସଂଳାପ ଲେଖକ, ଅନୁବାଦକ, ସଂଗଠକ ଓ ମିଷ୍ଟଭାଷୀ ଭାବରେ ସବୁରି ପ୍ରିୟ ଓ ପରିଚିତ । ତାଙ୍କ ଆତ୍ମଜୀବନୀ ‘ପଥିକ’ ପୃଷ୍ଠାରୁ ସେ କେତେ ସରଳ ଓ ନିରହଙ୍କାରୀ ଥିଲେ ଏକ ଛୋଟିଆ ଉଦାହରଣରୁ ସୁସ୍ପଷ୍ଟ - “ରଚନାଟି ମୋର ଜୀବନୀ ନୁହେଁ କି ଆତ୍ମଜୀବନୀ ନୁହେଁ । ଏଥିପାଇଁ ମୁଁ ବେଳାଭୂମିରୁ ଉପଳ ସଂଗ୍ରହ କରିନି କି ମହୋଦଧିରୁ ମୁକ୍ତା ଆହରଣ କରିନି । ମୋର ପ୍ରିୟ ସହର/ଲକ୍ଷ୍ମୀ ସହର କଟକର କିଛି ମାଟି ଗୋଡ଼ି ସଂଗ୍ରହ କରି ସେଇଥିରେ ମୁଁ ପଥିକର କଳେବରକୁ ସୁସଜ୍ଜିତ କରିବାର ପ୍ରୟାସ କରିଛି ମାତ୍ର ।” ଦର୍ଶନ ବହିର କୈାଣସି ଗୋଟିଏ ସଂଳାପ ଭଳି ମନେ ହୁଏ ତାଙ୍କ ରଚନାର ପ୍ରଥମ ବାକ୍ୟ ଯଥା- "ପଥିକ କେବଳ ତା’ର ଯାତ୍ରାପଥ ଅତିକ୍ରମରେ ନାହିଁ, ତା’ର ଜୀବନର ଗତିପଥ ମଧ୍ୟ ଅତିକ୍ରମ କରି ଚାଲିଥାଏ ।" ଯାତ୍ରାପଥରେ ସତରେ ଚିହ୍ନା ଅଚିହ୍ନା ମଣିଷମାନେ କିପରି ଆତ୍ମୀୟତାର ହାତ ବଢ଼ାଇଛନ୍ତି ଏବଂ ସେ ସମୟର ଭୈାଗଳିକ, ସାମାଜିକ, ସାଂସ୍କୃତିକ ମାନସିକତା ତାଙ୍କୁ କିପରି ପ୍ରଭାବିତ କରିଛି ବା ଜୀବନର ଗତିପଥକୁ ଅତିକ୍ରମ କରି ଯାଇଛି ତାହା ଏକ ଜାତିର ପ୍ରାଣବନ୍ତ ଆନ୍ଦୋଳନର ଅତ୍ୟନ୍ତ ସୁନ୍ଦର ଓ ସ୍ପଷ୍ଟ ପାଦଚିହ୍ନ ବୋଲି ମନେହୁଏ । ପିଲାଟିଦିନୁ ଯାତ୍ରା ଆଉ ନାଟକ ଲେଖିବାର ନିଶା ତାଙ୍କର ଥିଲା । ସେ କହୁଥିଲେ - "ଅଭିନୟ ଯେତେ ନିଖୁଣ ହେଲେ ମଧ୍ୟ ଉଚ୍ଚାରିତ ସଂଳାପ ଯଦି ଅଭିନୟର ଭାବକୁ ଦର୍ଶକମାନଙ୍କ ପାଖରେ ସଠିକ୍ ଭାବେ ପହଞ୍ଚାଇ ନପାରେ, ତାହା ହେଲେ ଅଭିନୟ ହୃଦୟଗ୍ରାହୀ ହେବ କିପରି ।" ତେଣୁ ସେ ନାଟକରେ ସଂଳାପକୁ ଗୁରତ୍ୱ ଦେଉଥିଲେ ଓ ଲେଖୁଥିଲେ ଜୀବନଧର୍ମୀ ସଂଳାପ । ତାଙ୍କ ସଂଳାପରେ ଥିଲା ବଳିଷ୍ଠ ସମ୍ମୋହନୀ ଶକ୍ତି । ରେଡ଼ିଓ ଭଳି ଏକ ଇଲେକ୍ଟ୍ରୋନ��କ୍ ଗଣମାଧ୍ୟମକୁ ସେ ସଫଳତାର ସହିତ ବିନିଯୋଗକରି ଓଡ଼ିଆ ଅପେରାକୁ କି ସାକ୍ଷର ନିରକ୍ଷର ସବୁ ଶ୍ରେଣୀର ଶୋତ୍ରାମାନଙ୍କ ପାଖରେ ପହଞ୍ଚାଇ ଦେଇଥିଲେ । ୧୯୪୨-୪୩ ଦ୍ୱିତୀୟ ମହାଯୁଦ୍ଧ ସମୟରେ ମୁକୁରର ସମ୍ପାଦକ ତଥା ସାହିତ୍ୟିକ ବ୍ରଜସୁନ୍ଦର ଦାସ ଜାତୀୟ ଯୁଦ୍ଧ ସାମୁଖ୍ୟର ଅଧ୍ୟକ୍ଷ ଥିଲେ । ମିତ୍ର ପକ୍ଷକୁ ସମର୍ଥନ ଜଣାଇବା ପାଇଁ ଓଡ଼ିଶା ସରକାର ସାହିତ୍ୟିକ, କଳାକାର ଓ ନଟ୍ୟକାରମାନଙ୍କଠାରୁ ପାଲା, ଦାସକାଠିଆ, ଏକାଙ୍କିକା, ନାଟକର ପାଣ୍ଡୁଲିପି ପଠାଇବା ନିମନ୍ତେ ଆହ୍ୱାନ କରିଥାନ୍ତି । ଏଥିରେ ସେ "ସାଗର କନ୍ୟା" ନାମକ ଏକଘଣ୍ଟିଆ ଏକାଙ୍କିକା ନାଟକ ଲେଖି ବ୍ରଜସୁନ୍ଦରଙ୍କୁ ଦେବାରେ ସେ ଅତିଶୟ ପ୍ରୀତ ହୋଇଥିଲେ ଓ ତା’ ନାମ ପରିବର୍ତ୍ତନ କରି ରଖିଥିଲେ ‘ସହଧର୍ମିଣୀ’ । ଏହା ଅର୍ଣ୍ଣପୂର୍ଣ୍ଣା ଓ ଭାରତୀ ଥିଏଟରରେ ଅଭିନୀତ ହୋଇଥିଲା । ଏହି ନାଟକରେ ଥିଲା ମାଟି ମା’ ଓ ଦେଶପ୍ରେମ ସମ୍ବନ୍ଧୀୟ ଉଚ୍ଚ ଭାବଧାରା ଅର୍ଥାତ୍ ମିତ୍ର ଶକ୍ତିକୁ ସାହାଯ୍ୟ କର, କିନ୍ତୁ ତା’ର ଅନ୍ତଃ ସ୍ରୋତଥାଏ ଏ’ ଦେଶଟା ଆମର । ଏ ଜାତି ବି ଆମର । ଆମେ ସବୁ ତା’ର ସନ୍ତାନ । ନାଟକ ଅଭିନୀତ ହେଉଥିବା ବେଳେ ଓଡିଶାର ତତ୍କାଳୀନ ଲାଟ୍ସାର୍ ହର୍ଥର୍ଣ୍ଣ ଲୁଇ ଏବଂ ଓଡ଼ିଶାର ପ୍ରଧାମନ୍ତ୍ରୀ ପାରଳା ମହାରାଜା ଏହାକୁ ଦେଖି ଉଚ୍ଚପ୍ରଶଂଶିତ କରି ପୁରସ୍କୃତ କରିଥିଲେ । ଏ ନାଟକ ତାଙ୍କ ଜୀବନରେ ନୂଆ ମୋଡ଼ ଆଣି ଦେଇଥିଲା । ଆଗାମୀ ଦିନରେ ରଙ୍ଗମଞ୍ଚ ନିମନ୍ତେ ଆଉ ଅଧିକ ନାଟକ ଲେଖିବା ନିମନ୍ତେ ବହୁ ଉଦ୍ବୁଦ୍ଧ କରିଥିଲା । ୧୯୬୦ ମସିହାରେ ପ୍ରଥମେ ଗଣକବି ବୈଷ୍ଣବପାଣିଙ୍କ ଗୀତିନାଟ୍ୟ ରଙ୍ଗସଭାକୁ ସେ ବେତାର ରୂପାନ୍ତର କରି ସୁନାମ ଅର୍ଜନ କରିଥିଲେ । ତତ୍କାଳୀନ ସମୟରେ ରଙ୍ଗସଭା କାର୍ଯ୍ୟକ୍ରମ ରେଡ଼ିଓରୁ ଶୁଣି ଡ. ପ୍ରାଣକୃଷ୍ଣ ପରିଜା ଆକାଶବାଣୀର ଷ୍ଟେସନ ନିର୍ଦ୍ଦେଶକ ସି.ଭି. କୃଷ୍ଣମୂର୍ତ୍ତିଙ୍କୁ ପ୍ରୀତ ହୋଇ ଫୋନ୍ରେ “Krushnamurthy, your station is reborn today” (ଆକାଶବାଣୀର ପୁନର୍ଜନ୍ମ) ହୋଇଛି ବୋଲି କହିଥିଲେ । ଏହା ପରେ ପରେ ଆଉ ପଛକୁ ନ ଚାହିଁ ସେ ବହୁ ଆଧୁନିକ ଛାଞ୍ଚରେ ଯୁଗୋପଯୋଗୀ ଗୀତିନାଟ୍ୟ ରଚନାକରି ଚର୍ଚ୍ଚିତ ହୋଇଥିଲେ । ସେଗୁଡ଼ିକ ମଧ୍ୟରେ - ଅଗ୍ରପୂଜ୍ୟ ଗଣନାୟକଙ୍କ ମହତ୍ତ୍ୱକୁ ନେଇ ଶ୍ରୀଗଣେଶ, ମାତୃଶକ୍ତିର ବିଜୟ ଉଦ୍ଘୋଷିତ ମହିଷାମର୍ଦ୍ଧିନୀ, ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ରଙ୍କର ଅଭିଷେକୋତ୍ସବକୁ ନେଇ ସମ୍ପୂର୍ଣ୍ଣ ରାମାୟଣ ଓ ଭାଗବତର ଦଶମ ସ୍କନ୍ଦ ଗୋପଲୀଳା, କୃଷ୍ଣଜନ୍ମ ପ୍ରସଙ୍ଗକୁ ନେଇ ତାଙ୍କର ‘ଜନ୍ମାଷ୍ଟମୀ’ ଗିତୀନାଟ୍ୟ ରଚିତ । ଏଥିରେ କଂସର ଆସୁରୀ ସ୍ୱଭାବ ତାକୁ କିପରି ପ୍ରତିହିଂସା ପରାୟଣ କରିଛି ଓ ଭଗବାନ ଶ୍ରୀକୃଷ୍ଣଙ୍କର ଦେବତ୍ୱ ସମଗ୍ର ନାଟକର ପରିବେଶକୁ ଆଚ୍ଛନ୍ନ କରି ରଖିବାରେ ସମର୍ଥ ହୋଇଛି । ସମସ୍ତ ଓଡ଼ିଆ ପ୍ରାଣ ଜନତାଙ୍କ ମନରେ ଭକ୍ତି ଉଦ୍ରେକ କରିବା ସହିତ ଉତ୍କ��୍ଠାରେ ମନପ୍ରାଣ ତଲୀନ ହୋଇଯାଏ । ଶବର ବିଶ୍ୱାବସୁର ଆରାଧ୍ୟ ଦେବତା ନୀଳମାଧବ ବିଦ୍ୟାପତି କର୍ତ୍ତୃକ ଆବିଷ୍କୃତ ହୁଅନ୍ତି । ବ୍ରାହ୍ମଣ ବିଦ୍ୟାପତି ଶବର ରାଜକନ୍ୟା ଲଳିତାକୁ ବିବାହ କରି ଆର୍ଯ୍ୟ ଅନାର୍ଯ୍ୟ ସଂସ୍କୃତିର ମିଳନ ଘଟାଇବାରେ ସକ୍ଷମ ହୁଅନ୍ତି । ଏପରି ଇତିହାସ ସହିତ ଅନେକ କିମ୍ବଦନ୍ତୀର ଶୋଭନ ସଂଯୋଗ ଘଟିଛି ‘ଶ୍ରୀଜଗନ୍ନାଥ’ରେ । ଗଜପତିଙ୍କର ଠାକୁରଙ୍କ ନିକଟରେ ନିର୍ବଂଶ ହେବାକୁ ପ୍ରାର୍ଥନା କରିବା ତାଙ୍କର ନମ୍ରତା ଓ ଭକ୍ତିଭାବର ପରିଚାୟକ । ଭକ୍ତଶିରୋମଣି ‘ମୀରାବାଈ’ଙ୍କ କୃଷ୍ଣୈକ ପ୍ରାଣତା, ତୀର୍ଥ ସ୍ଥାନ ଭ୍ରମଣ କରି ଗିରିଧର ଗୋପାଳଙ୍କ ପ୍ରଦତ୍ତ ପ୍ରେମଧର୍ମର ପ୍ରଚାର ଓ ନାଟକରେ ସନ୍ନିବେଶିତ ମୀରା ଭଜନ ଗୁଡ଼ିକ ଅତ୍ୟନ୍ତ ଊକ୍ତିରସାତ୍ମକ ଓ ମର୍ମସ୍ପର୍ଶୀ ମନେହୁଏ । ଭାରତୀୟ ନାରୀର ତ୍ୟାଗ ଓ ନିଷ୍ଠାର ବିଜୟ ଉଦ୍ଘୋଷଣା କରେ “ନପାହୁ ରାତି ନମରୁ ପତି”ରେ । ଏହା ରାମାୟଣର କାହାଣୀ ଉପରେ ଆଧାରିତ ଏବଂ ସଂପୂର୍ଣ୍ଣ କରୁଣ ରସର ମୂର୍ଚ୍ଛନା ଭିତରେ ବିଷୟ ବିନ୍ୟାସ ଅତ୍ୟନ୍ତ ହୃଦୟଗ୍ରାହୀ ମନେହୁଏ । ଅନୁସୂୟାଙ୍କର ପତି ଭକ୍ତି ପାଇଁ ରୁଗ୍ଣ ବ୍ରାହ୍ମଣ ବିଷ୍ଣୁ ଦାସ ପୁନର୍ଜୀବନ ଲାଭ କରିପାରନ୍ତି । କ୍ରୋଧୀ ତପସ୍ୱୀଙ୍କର ଅଭିଶାପରୁ ନିଜ ପତିଙ୍କୁ ଉଢ଼ାଳରେ ରଖିବା ପାଇଁ ସୂର୍ଯ୍ୟ ଦେବତାଙ୍କର ଗତିରୁଦ୍ଧ କରିବାରେ ତାଙ୍କର ଦମ୍ଭ ବାସ୍ତବରେ ଅତ୍ୟାଶ୍ଚର୍ଯ୍ୟ । ଏତଦ୍ବ୍ୟତୀତ ଉତ୍କଳ କାହାଣୀ ଅବଲମ୍ବନରେ ବୋଲେ ହୁଁ ଟି, ଫକୀରମୋହନ ସେନାପତିଙ୍କ ସମାଜ ସଂସ୍କାର ମୂଳକ ଗଳ୍ପ ପେଟେଣ୍ଟ ମେଡିସିନ୍ ଉପରେ ଶ୍ରୀମତୀ ସମାର୍ଜନୀ, ବିନ୍ଦୁସାଗର, ସୀତା ଲବକୁଶ, ଘରବରଦେଖା ପ୍ରଭୃତି ଅତ୍ୟନ୍ତ ଶିକ୍ଷଣୀୟ ଓ ସାମାଜିକ ନୀତିଶିକ୍ଷା ଉପରେ ଅଧାରିତ । ଏକଥା ସତ ଯେ ବିଭିନ୍ନ ପାରମ୍ପରିକ ସ୍ୱରର ସଙ୍ଗୀତ, ବାଦ୍ୟ, ଗାନ, ସହଜ ବିଷୟବସ୍ତୁ, ଅକୃତ୍ରିମ ଭାବ ପ୍ରକାଶ ତଥା ଆକର୍ଷଣୀୟ ସାଜସଜ୍ଜା ହିଁ ଶ୍ରୋତା ମନରେ ଗୀତିନାଟକ ପ୍ରତି ଏକ ଗଭୀର ଶ୍ରଦ୍ଧା ଭାବ ସହ ଆକୃଷ୍ଟ କରିଥାଏ । ଏତଦ୍ସମ ସେତେବେଳେ ଗାଁ ଗହଳର ଲୋକମାନେ ଭାଗବତ ଟୁଙ୍ଗିରେ ଭାଗବତ ପାରାୟଣ ଶୁଣିବା ଭଳି ତାଙ୍କ ହାସ୍ୟରସାତ୍ମକ ଧାରାବାହିକ ନାଟକ ‘ଶ୍ରୀହରିର ସଂସାର’ ଏବଂ ‘ପୂରାପୂରି ପାରିବାରିକ’ ରେଡ଼ିଓରେ ପ୍ରଚାରିତ ହେଲାବେଳେ ଚାରିପଟେ ଘେରି ବସୁଥିଲେ । ବହୁ ପ୍ରଥିତ ଯଶା ଔପନ୍ୟାସିକ ଓ ଗାଳ୍ପିକଙ୍କ ରଚନାକୁ ସେ ନାଟ୍ୟରୂପ ଦେଇ ଯଥେଷ୍ଟ ସଫଳତା ଲାଭ କରିଥିଲେ । ତନ୍ମଧ୍ୟରେ ଉପେନ୍ଦ୍ର କିଶୋର ଦାସଙ୍କ ‘ମଲାଜହ୍ନ’, ଡ. ହରେକୃଷ୍ଣ ମହତାବଙ୍କ ପ୍ରତିଭା, ବସନ୍ତ କୁମାରୀ ପଟ୍ଟନାୟକଙ୍କ ଅମଡ଼ାବାଟ, କାହ୍ନୁଚରଣ ମହାନ୍ତିଙ୍କ ଝଞ୍ଜା, ବ୍ୟାସକବି ଫକୀର ମୋହନ ସେନାପତିଙ୍କ ମାମୁଁ, ଛ'ମାଣ ଆଠଗୁଣ୍ଠ, ଧୂଳିଆ ବାବା, ଗ��ପିନାଥ ମହାନ୍ତିଙ୍କ ପରଜା, କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ମୁକ୍ତାଗଡ଼ର କ୍ଷୁଧା ଓ ବିଭୂତି ପଟ୍ଟନାୟକଙ୍କ ବଧୂ ନିରୁପମା ଅନ୍ୟତମ । ଓଡ଼ିଆ ଚଳଚ୍ଚିତ୍ରର ସଂଳାପ ଲେଖକ ଭାବରେ ମଧ୍ୟ ସବୁରି ମୁହଁରେ ତାଙ୍କର ପ୍ରଶଂସା । ଏଥିରେ ସେ ନିଜର ଅମ୍ଳାନ ସ୍ୱାକ୍ଷର ରଖି ଯାଇଛନ୍ତି । ୧୯୪୯ ମସିହାରେ ନିର୍ମିତ ହୋଇଥିବା ‘ଶ୍ରୀଜଗନ୍ନାଥ’ର ସେ ସଂଳାପ ରଚନା କରିଥିଲେ । ପରେ ପରେ ଅମଡ଼ାବାଟ, ଅଭିନେତ୍ରୀ, ମା’, ନୂଆବୋଉ, ଅଦିନମେଘ, ମାଟିର ମଣିଷ, ଧରିତ୍ରୀ, କିଏ କାହାର, ବନ୍ଧୁମହାନ୍ତି, ରାମାୟଣ ସୂର୍ଯ୍ୟମୁଖୀ, ମାଂସର ବିଳାପ ଏପରି କୋଡ଼ିଏରୁ ଉର୍ଦ୍ଧ୍ୱ ଚଳଚ୍ଚିତ୍ରର ସଂଳାପ ରଚନା କରିଥିଲେ । ଏତଦ୍ବ୍ୟତୀତ ଦୂରଦର୍ଶନ ପାଇଁ ଶତାଧିକ ନାଟକ ସେ ଲେଖିଥିଲେ । ଏହି ପ୍ରତିଭାସମ୍ପନ୍ନ ବ୍ୟ���୍ତିଙ୍କର ଆବିର୍ଭାବ ହୁଏ ୧୯୧୬ ମସିହା ଏପ୍ରିଲ ମାସ ୧୬ ତାରିଖରେ ଜଗତସିଂହପୁର ଜିଲ୍ଲାର ପୁରୁଣାଗଡ଼ ଗ୍ରାମରେ । ତାଙ୍କ ପିତାଙ୍କ ନାମ ହଳଧର ଛୋଟ୍ଟରାୟ ଓ ମାତାଙ୍କ ନାମ ଇନ୍ଦୁମତୀ ଦେବୀ । ଗାଁ ମାଇନର ସ୍କୁଲରେ ପଢୁଥିଲା ବେଳେ ସେ ସମଗ୍ର ଓଡ଼ିଶାରେ ପ୍ରଥମ ହୋଇଥିଲେ ଓ ସେତିକିବେଳେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା । ପ୍ୟାରୀମୋହନ ଏକାଡେମୀରୁ ସେ କୃତିତ୍ୱର ସହିତ ମାଟ୍ରିକ ପାସ କରିଥିଲେ । ହାଇସ୍କୁଲରେ ପଢ଼ିଲା ବେଳେ ୧୯୩୨-୩୩ରେ ପଲ୍ଲୀସଖା ନାମରେ ହାତଲେଖା ପତ୍ରିକା ବାହାର କରିଥିଲେ । ସ୍କୁଲ ଓ ହଷ୍ଟେଲ ପତ୍ରିକାରେ ନିଜର ଲେଖା ପ୍ରକାଶ କରିବା ସହ ପ୍ରଗତି, ସହକାର, ଗୋଧୂଳି, ଡଗର ପ୍ରଭୃତି ପତ୍ରିକାରେ ତାଙ୍କର ବିଭିନ୍ନ କବିତା ଓ ଗଳ୍ପ ମଧ୍ୟ ପ୍ରକାଶ ପାଉଥିଲା । ତତ୍ପରେ ସେ ରେଭେନ୍ସା କଲେଜରେ ଅଧ୍ୟୟନ କରିଥିଲେ । କଟକ ଡିଷ୍ଟ୍ରିକ୍ଟ ବୋର୍ଡ଼ରେ ସେ ୧୯୩୬ ମସିହାରୁ ୧୯୪୩ ଯାଏଁ ଚାକିରି କରିଥିଲେ । ତତ୍ପରେ କଟକ ରେଡ଼ିଓ ଷ୍ଟେସନରେ ସ୍କ୍ରିପ୍ଟ ରାଇଟର ହିସାବରେ ନିଯୁକ୍ତି ପାଇଥିଲେ । ସେଠାରେ ୧୯୫୬ରୁ ୧୯୭୫ ଯାଏଁ କାର୍ଯ୍ୟ କରିବା ସମୟରେ ଓଡ଼ିଶାର traditional folk formର ନାଟକ ଅଛି କି ନାହିଁ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ ଅପେରାର ନବୀକରଣ ସହିତ ନିଜକୁ ସଂଶ୍ଳିଷ୍ଟ କରି ଓଡ଼ିଆ ନାଟକ ବିଭାଗ ସୁସମୃଦ୍ଧ ଓ ଜନାଦୃତ କରିଥିଲେ । ନାଟକ ଲେଖା ସାଙ୍ଗକୁ ସେ ଭାରତୀ ଥିଏଟର୍ସର ‘ପତିତା’, ‘ସିନ୍ଦୁରଗାର’ ଓ ‘ମୁଲିଆ’ ନାଟକରେ ଅଭିନୟ ମଧ୍ୟ କରିଥିଲେ । ମହାତ୍ମାଗାନ୍ଧିଙ୍କ ‘ଗାଁକୁ ଫେରିଚାଲ’ ଆହ୍ୱାନ ଉପରେ ତାଙ୍କ ରଚିତ ‘ଫେରିଆ’ ନାଟକ ହେଉଛି ଏକ ଯୁଗାନ୍ତକାରୀ ସୃଷ୍ଟି । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ଜନନେତା ନବକୃଷ୍ଣ ଚୈାଧୁରୀ, ମାଳତୀ ଚୈାଧୁରୀ ଓ ହରେକୃଷ୍ଣ ମହତାବ ଏହାକୁ ଦେଖି ତାଙ୍କୁ ଖୁସିରେ କୁଣ୍ଢାଇ ପକାଇ ଥିଲେ । ତାଙ୍କ ରଚିତ ‘ପର କଲମ’ ହେଉଛି ଏକ ସଫଳ ରାଜନୈତିକ ନାଟକ । ୧୯୫୧ ନିର୍ବାଚନରେ ପ୍ରତ୍ୟକ୍ଷଦର୍ଶୀ ଭାବେ ଆଖିରେ ଦେଖିଥିବା କଥା ହିଁ ପରକଲମ ନାଟକର ବିଷୟବସ୍ତୁ । ତାଙ୍କର ସମାଲୋଚକମାନେ ହିଁ ଏହାର ଯଶଗାନ କରିଥିଲେ । ଏହି ବହିର ଅନେକ ସଂସ୍କରଣ ହୋଇଛି । ବିଭିନ୍ନ ଶ୍ରେଣୀର ପାଠ୍ୟପୁସ୍ତକରେ ମଧ୍ୟ ଏହା ସ୍ଥାନିତ ହୋଇଛି । ସେତେବେଳେ ବିଧାନସଭାରେ ବି ୟାକୁ ନେଇ ପ୍ରଶ୍ନ ଉଠିଥିଲା । ଦିଲ୍ଲୀ, ଆସାମ ଓ ଆଲ୍ଲାହାବାଦରେ ଏହା ଅଭିନୀତ ହୋଇଛି । କେତେକ ଇଂରାଜୀ ନାଟକର ଓଡ଼ିଆ ରୂପାନ୍ତର ଓ ଶରତ ଚନ୍ଦ୍ର ଚାଟାର୍ଜୀଙ୍କ ବଙ୍ଗଳା ଉପନ୍ୟାସ ‘ରାମର ସୁମତି’କୁ ମଧ୍ୟ ନାଟ୍ୟ ରୂପ ଦେଇଥିଲେ । ଅନେକ ସଫଳ ମଞ୍ଚନାଟକ ଯଥା- ଫେରିଆ, ଭରସା, ପରକଲମ, ଶଙ୍ଖାସିନ୍ଦୂର, ନଷ୍ଟ ଉର୍ବଶୀ, ଅର୍ଦ୍ଧାଙ୍ଗିନୀ, ଘଟକ, ଅଭାଗିନୀର ସ୍ୱର୍ଗ, ସହଧର୍ମିଣୀ, ପଥିକ ବନ୍ଧୁ, ସାଧନା, ଜନଶତ୍ରୁ, ଦଳବେହେରା, ଶାଖାପ୍ରଶାଖା, ଅମର ବିଳାସ, ପଦ୍ମାଳୟା, ନୂଆବୋଉ, ଶତରଞ୍ଜ, ନଟଖଟ ନାଟକ, ପଞ୍ଚବଟୀ, ଶୋଭା, ଏମିତି ହୁଏନାହିଁ, ଶେଷ ପର୍ଯ୍ୟାୟ, ମୀରାବାଈ, ଗାଁ ପରିମଳ ପ୍ରଭୃତି ରଚନା କରି ଓଡ଼ିଆ ନାଟ୍ୟ ସାହିତ୍ୟକୁ ସମୃଦ୍ଧ କରିବା ସହିତ ସେ ବହୁ ଲୋକପ୍ରିୟତା ଅର୍ଜନ କରିଥିଲେ । ଆପଣ ବେତାର, ଦୂରଦର୍ଶନ ଏବଂ ମଞ୍ଚ ପାଇଁ ନାଟକ ଲେଖୁଛନ୍ତି, ଏସବୁ ମଧ୍ୟରୁ କେଉଁଟି ଆପଣଙ୍କ ପାଇଁ ସବୁଠାରୁ ଭାବପ୍ରକାଶନର ଶ୍ରେଷ୍ଠ ମାଧ୍ୟମ ବୋଲି ପଚାରିବାରେ ସେ କହିଥିଲେ - “ତିନୋଟିଯାକ ମାଧ୍ୟମ ମୋ ପକ୍ଷରେ ଗ୍ରହଣୀୟ ହୋଇ ପାରିଛି । କିନ୍ତୁ ମଞ୍ଚ ଏବଂ ଦୂରଦର୍ଶନ ପାଇଁ ଜଣେ ନାଟ୍ୟକାରକୁ ଅଧିକ ବହୁବିଧ ଶକ୍ତି ଓ କୈାଶଳ ପ୍ରୟୋଗ କରିବାକୁ ପଡ଼ିଥାଏ । ବେତାର ମାଧ୍ୟମ ଏହି ଦୃଷ୍ଟିରୁ ଗୋଟିଏ ନାଟ୍ୟକାର ପାଇଁ ସୁଗମ ପନ୍ଥା ।” ଜୀବନବ୍ୟାପୀ ସାଧନାର ସ୍ୱୀକୃତି ସ୍ୱରୂପ ସେ ବହୁ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ତଥା ସମ୍ମାନିତ ହୋଇଥିଲେ । ସେ ସମସ୍ତ ମଧ୍ୟରେ ବିଷୁବ ମିଳନ ୧୯୫୩, କଳାବିକାଶ କେନ୍ଦ୍ର, ପରକଲମ ନାଟକ ସମ୍ମାନ ୧୯୫୪, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ନାଟକ ପ୍ରତିଯୋଗିତାରେ ଅର୍ଦ୍ଧାଙ୍ଗିନୀ ନାଟକ ପାଇଁ ପୁରସ୍କାର, ବେତାର ସଙ୍ଗୀତ ରୂପକ ଶ୍ରୀମତୀ ସମାର୍ଜନୀ ପାଇଁ ସର୍ବଭାରତୀୟ ଆକାଶବାଣୀ ନାଟକ ପୁରସ୍କାର, ୧୯୭୪, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ୧୯୭୫, ହାସ୍ୟରସର ନାଟକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ୧୯୮୨, ତିନୋଟି ଅପେରା ଏକତ୍ର ପୁସ୍ତକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୧୯୮୪, ରାଜ୍ୟପାଳଙ୍କ ତାମ୍ରଫଳକ ୧୯୯୧, ବିଷୁବ ପୁରସ୍କାର ୧୯୯୭, ଶାରଳା ପୁରସ୍କାର ୨୦୦୦ ଏବଂ ୨୦୦୨ ମସିହାରେ ପଦ୍ମଶ୍ରୀ ଉପାଧିରେ ଭୂଷିତ ହୋଇଥିଲେ । ଓଡ଼ିଆ ନାଟ୍ୟସାହିତ୍ୟକୁ ରୂଚିପୂର୍ଣ୍ଣ, ପରମ୍ପରା ପିଣ୍ଡିତ ତଥା ଆଧୁନିକ ଜୀବନ ପ୍ରତି ଶ୍ରଦ୍ଧାଶୀଳ କରାଇବାରେ ତାଙ୍କର ସ୍ଥାନ ଥିଲା ଗୁରୁତ୍ୱପୂର୍ଣ୍ଣ । ୨୦୦୩ ମସିହା ଜାନୁୟାରୀ ୨୨ ତାରିଖରେ ଏହି ମହାନ ସ୍ରଷ୍ଟାଙ୍କର ମହାପରାୟଣ ହୋଇଥିଲା, ସେ ଆଜି ନାହାନ୍ତି ସତ, ହେଲେ ରଖି ଦେଇ ଯାଇଛନ୍ତି ଚିରନ୍ତନ ସ୍ମୃତି । ତାଙ୍କର ମୈାଳିକ ନାଟ୍ୟ କୃତି ଓ କୀର୍ତ୍ତୀ ନିମନ୍ତେ ସେ ଏ ମହାଜାତିର ସାରସ୍ୱତ ଜଗତରେ ଚିର ସ୍ମରଣୀୟ ହୋଇ ରହିବେ । Read the full article
0 notes
Text
ଆଦିଗୁରୁ ଶଙ୍କରାଚାର୍ଯ୍ୟ
ଯେତେବେଳେ ସମଗ୍ର ଭାରତ ବର୍ଷରେ ଆଦି ଧର୍ମ ସନାତନ ଧର୍ମର ପତନ ହେବାକୁ ଲାଗିଥିଲା, ସେତେବେଳେ ଜନ୍ମଗ୍ରହଣ କରିଥିଲେ ଜଣେ ଯୁଗପୁରୁଷ, ଯିଏକି ମାତ୍ର ଅଳ୍ପ ବର୍ଷର ଜୀବନକାଳ ମଧ୍ୟରେ ସନାତନ ଧର୍ମ ବା ହିନ୍ଦୁ ଧର୍ମର ପୁନଃ ସ୍ଥାପନା କରିବାରେ ସକ୍ଷମ ହୋଇଥିଲେ । ଦାକ୍ଷିଣାତ୍ୟ ଅନ୍ତର୍ଗତ କେରଳ ଦେଶର କାଖଲ ଗ୍ରାମରେ ୭୮୮ ଖ୍ରୀଷ୍ଟାବ୍ଦରେ ବୈଶାଖ ଶୁକ୍ଳ ପଞ୍ଚମୀ ତିଥିରେ ଜନ୍ମଗ୍ରହଣ କରିଥିବା ଆଦିଗୁରୁ ଶଙ୍କରାଚାର୍ଯ୍ୟ ଏକାଧାରରେ ଥିଲେ ଜଗତର ଧର୍ମଗୁରୁ, ଦାର୍ଶନିକ, ସମାଜ ସଂସ୍କାରକ ଓ ବେଦାନ୍ତର ମୁଖ୍ୟ ପ୍ରବକ୍ତା । ଅଦ୍ୱୈତ ବେଦାନ୍ତର ଶେଷ୍ଠ ପ୍ରବକ୍ତା ରୂପରେ ସେ ବିଶ୍ୱର ଦାର୍ଶନିକ ମଣ୍ଡଳୀରେ ଆଜି ମଧ୍ୟ ବେଶ୍ ପ୍ରସିଦ୍ଧ । ଶଙ୍କରାଚାର୍ଯ୍ୟଙ୍କ ପିତାଙ୍କ ନାମ ଶିବଗୁରୁ ଓ ମାତାଙ୍କ ନାମ ସୁଭଦ୍ରା ଥିଲା । ତାଙ୍କ ପିତାମାତା ତାଙ୍କୁ ଶିବଙ୍କୁ ପୂଜା କରି ପ୍ରାପ୍ତ କରିଥିଲେ ବୋଲି ତାଙ୍କ ନାମ ରଖିଥିଲେ ଶଙ୍କର ଏବଂ ପରବର୍ତ୍ତୀ ସମୟରେ ତାଙ୍କର କାର୍ଯ୍ୟ ପାଇଁ ସେ ଶଙ୍କରାଚାର୍ଯ୍ୟ ଭାବରେ ଅନ୍ୟମାନଙ୍କ ଦ୍ୱାରା ସମ୍ବୋଧିତ ହୋଇଥିଲେ । ଶଙ୍କରାଚାର୍ଯ୍ୟଙ୍କୁ ୩ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା, ଏହାପରେ ତାଙ୍କ ମାତା ସୁଭଦ୍ରାଦେବୀ ତାଙ୍କର ଲାଳନପାଳନ କରିଥିଲେ । ଶଙ୍କରଙ୍କର ୬ ବର୍ଷ ବୟସରେ ଉପନୟନ କାର୍ଯ୍ୟ କରାଯାଇଥିଲା ଏବଂ ସେତେବେଳେ ସେ ପଣ୍ଡିତ ହୋଇଥିଲେ ଏବଂ ଗୁରୁକୁଳକୁ ଶିକ୍ଷାଗ୍ରହନ ସକାଶେ ଯାଇଥିଲେ । ମାତ୍ର ଦୁଇବର୍ଷରେ ସେ ତାଙ୍କର ଗୁରୁକୁଳ ଶିକ୍ଷା ସମାପ୍ତ କରିଥିଲେ ଏବଂ ୮ ବର୍ଷ ବୟସରେ ସନ୍ୟାସ ଧର୍ମ ଗ୍ରହଣ କରିଥିଲେ । ତାଙ୍କର ସନ୍ୟାସ ଧର୍ମ ଗ୍ରହଣ କରିବା ସମୟରେ ଏକ ଅଲୌକିକ ଘଟଣା ଘଟିଥିଲା; ଏକମାତ୍ର ପୁଅ ହୋଇଥିବାରୁ ତାଙ୍କ ମାତା ତାଙ୍କୁ ସନ୍ୟାସ ଧର୍ମ ଗ୍ରହଣ କରିବାକୁ ଅନୁମତି ଦେଉନଥିଲେ । ଏକଦା ଶଙ୍କର ନଦୀରେ ଗାଧଉଥିବାବେଳେ ଏକ କୁମ୍ଭୀର ଶଙ୍କରଙ୍କର ଗୋଡ଼କୁ ଟାଣିଧରିଥିଲା ଏବଂ ସେତେବେଳେ ତାଙ୍କ ମାତା ତାଙ୍କୁ ସନ୍ୟାସ ଧର୍ମ ଗ୍ରହଣ କରିବାର ଅନୁମତି ଦେବାରୁ ସେ କୁମ୍ଭୀରଟି ତାଙ୍କୁ ଛାଡ଼ି ଚାଲିଯାଇଥିଲା । ୧୨ ବର୍ଷ ବୟସରେ ଶଙ୍କର ଗୃହତ୍ୟାଗ କରି ସମଗ୍ର ଭାରତ ଭ୍ରମଣ କରି ବି��ିନ୍ନ ଗୁରୁମାନଙ୍କଠାରୁ ଶିକ୍ଷା ଗ୍ରହଣ କରିଥିଲେ । ଯଦିଓ ସେ ସନ୍ୟାସ ଧର୍ମ କରିଥିଲେ, କିନ୍ତୁ ��ାଙ୍କ ମାତାଙ୍କର ଶେଷ ସମୟରେ ସେ ଗୃହକୁ ଫେରି ରୁଗ୍ଣା ମାତାଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ । ମାତାଙ୍କର ପରଲୋକ ପ୍ରାପ୍ତି ଘଟିବା ପରେ ସେ ଗୃହତ୍ୟାଗ କରି ପୁଣି ଧର୍ମପ୍ରଚାରାର୍ଥେ ଭାରତ ଭ୍ରମଣରେ ବାହାରିଯାଇଥିଲେ । ଶଙ୍କରଙ୍କୁ ଯେତେବେଳେ ୧୬ ବର୍ଷ ବୟସ ହୋଇଥିଲା; ସେତେବେଳେ ସେ ପରମହଂସତ୍ୱ ଲାଭ କରିଥିଲେ । ସେ ସମୟରେ ଭାରତରେ ବ୍ରହ୍ମଣ୍ୟ ଧର୍ମର ଅଧୋଗତି ଘଟିଥିଲା ଏବଂ ବୌଦ୍ଧ ଧର୍ମ ପ୍ରବଳ ହୋଇ ଉଠିଥିଲା କିନ୍ତୁ ଶଙ୍କର ବୌଦ୍ଧ ପଣ୍ଡିତମାନଙ୍କୁ ଯୁକ୍ତିଦ୍ୱାରା ପରାସ୍ତ କରି ଅଦ୍ୱୈତ ବ୍ରହ୍ମଣ୍ୟ ଧର୍ମର ପୁନଃ ସଂସ୍ଥାପନ କରିଥିଲେ ଏବଂ ଭାରତରେ ସ୍ଥାନେ ସ୍ଥାନେ ଶିବ ମନ୍ଦିର ଓ ମଠମାନ ସ୍ଥାପନ କରି ସେ ସ୍ଥାନମାନଙ୍କୁ ହିନ୍ଦୁଧର୍ମର ତଥା ହିନ୍ଦୁ ଶାସ୍ତ୍ରାଲୋଚନାର କେନ୍ଦ୍ରରେ ପରିଣତ କରିଥିଲେ । ଭାରତର ଚାରି ଦିଗରେ ଶଙ୍କରାଚାର୍ଯ୍ୟଙ୍କ ପ୍ରତିଷ୍ଠିତ ଚାରିଗୋଟି ମଠ ଆଜି ପର୍ଯ୍ୟନ୍ତ ସନାତନ ହିନ୍ଦୁ ଧର୍ମର ପ୍ରଚାରରେ କାର୍ଯ୍ୟ କରିଆସୁଛି, ଯେଉଁ ମଠର ମହନ୍ତମାନେ ଶଙ୍କରାଚାର୍ଯ୍ୟ ଉପାଧିରେ ଭୂଷିତ ହୋଇଥାନ୍ତି । ଏହି ଚାରୋଟି ମଠ ମଧ୍ୟରୁ ଉତ୍ତରରେ ଜ୍ୟୋତିର୍ମଠ ଉତ୍ତରାଖଣ୍ଡର ବଦ୍ରିକା ଆଶ୍ରମରେ ଅବସ୍ଥିତ । ଜ୍ୟୋତିର୍ମଠର ମହାବାକ୍ୟ ହେଉଛି "ଅୟମାତ୍ମା ବ୍ରହ୍ମା" ଏବଂ ଏହି ମଠରେ “ଅଥର୍ବ ବେଦ” ସ୍ଥାପନ କରାଯାଇଛି । ଭାରତର ପଶ୍ଚିମରେ ଦ୍ୱାରକା ଧାମରେ ସେ ପ୍ରତିଷ୍ଠା କରିଥିଲେ ଶାରଦା ମଠ । ଏହି ମଠର ମହାବାକ୍ୟ ହେଉଛି "ତତ୍ୱମସି" ଏବଂ ଏହି ମଠରେ “ସାମ ବେଦ” ସ୍ଥାପନ କରାଯାଇଛି । ଭାରତର ଦକ୍ଷିଣରେ ରାମେଶ୍ୱରମଠାରେ ପ୍ରତିଷ୍ଠା କରିଥିଲେ ଶୃଙ୍ଗେରୀ ମଠ । ଏହି ମଠର ମହାବାକ୍ୟ ହେଉଛି "ଅହଂ ବ୍ରହ୍ମାସ୍ମି" ଏବଂ ଏଠାରେ “ଯଯୁଃ ବେଦ” ସ୍ଥାପନା କରାଯାଇଛି । ଏହି ଚାରିମଠ ମଧ୍ୟରୁ ପୂର୍ବରେ ଅଛି ଶ୍ରୀକ୍ଷେତ୍ର ପୁରୀଠାରେ ଗୋବର୍ଦ୍ଧନ ମଠ, ଯେଉଁଠାରେ ଦୀକ୍ଷା ନେଉଥିବା ସନ୍ୟାସୀମାନଙ୍କ ନାମରେ 'ଆରଣ୍ୟ' ନାମ ବିଶେଷଣ ଲଗାଯାଇଥାଏ । ଏହି ମଠର ମହାବାକ୍ୟ ହେଉଛି "ପ୍ରଜ୍ଞାନଂ ବ୍ରହ୍ମା" ଏବଂ ଏହି ମଠରେ “ଋକ୍ ବେଦ” ସ୍ଥାପନା କରାଯାଇଛି । ଶଙ୍କରାଚାର୍ଯ୍ୟ ପୁରୀ ଆସିଥିବାବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଗ୍ରହ ପାତାଳୀ ଥିଲା ଏବଂ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପୁନଃ ପ୍ରତିଷ୍ଠା ହୋଇଥିଲା । ଯଦିଓ ଶଙ୍କରାଚାର୍ଯ୍ୟଙ୍କୁ ସନାତନ ଧର୍ମର ପୁନଃ ସଂସ୍ଥାପକ ବୋଲି ଗ୍ରହଣ କରାଯାଏ, କିନ୍ତୁ କେତେକଙ୍କ ମତରେ ସେ ଶୈବ ଧର୍ମର ମଧ୍ୟ ପ୍ରଚାର କରିଥିଲେ ଏବଂ ତାଙ୍କୁ ଭଗବାନ ଶିବ ମଧ୍ୟ ଦର୍ଶନ ଦେଇଥିଲେ ବୋଲି ମଧ୍ୟ ଲୋକକଥାରେ ପ୍ରଚଳିତ । ତାଙ୍କର ଶିଷ୍ୟମାନେ ତାଙ୍କୁ ସାକ୍ଷାତ୍ ଶିବ ବୋଲି ବିଶ୍ୱାସ କରୁଥିଲେ ଏବଂ କହୁଥିଲେ "ଶଙ୍କରଃ ଶଙ୍କରଃ ସାକ୍ଷାତ୍" । ଶଙ୍କରାଚାର୍ଯ୍ୟ ଖାଲି ଭାରତ ନୁହେଁ ଭାରତ ବାହାରେ ମଧ୍ୟ ସନାତନ ଧର୍ମର ପୁନଃ ପ୍ରତିଷ୍ଠା ପାଇଁ ଭ୍ରମଣ କରିଥିଲେ । ତାଙ୍କର ଏହି ଧର୍ମପ୍ରଚାର ଫଳରେ ଭାରତରୁ ବୌଦ୍ଧ ଧର୍ମର ପ୍ରଭାବ ହ୍ରାସ ପାଇଥିଲା ଏବଂ ହିନ୍ଦୁ ଧର୍ମ କ୍ରମେ ପ୍ରବଳ ହୋଇ ଉଠିଥିଲା । ୩୨ ବର୍ଷ ବୟସରେ କେଦାରନାଥ ତୀର୍ଥରେ ସେ ପରଲୋକ ଗମନ କଲେ । - ସଂଗ୍ରାମ କେଶରୀ ସେନାପତି Read the full article
0 notes
Text
ଉତ୍କଳ ଗୌରବ ମଧୁସୂଦନ ଦାସ
‘ଉତ୍କଳଗୌରବ’ ମଧୁସୂଦନ ଥିଲେ ଓଡ଼ିଆ ଜାତୀୟତାର ପ୍ରମୁଖ ମନ୍ତ୍ରଦାତା । ସ୍ୱତନ୍ତ୍ର ଉତ୍କଳ ଗଠନରେ ତାଙ୍କର ଭୂମିକା କୌଣସି ପ୍ରକୃତ ଓଡ଼ିଆ ପକ୍ଷେ କେବେହେଁ ଭୁଲିବା ପରି ନୁହେଁ । ତାଙ୍କର ନିଷ୍ଠାପୂର୍ଣ୍ଣ କାର୍ଯ୍ୟଧାରା, ତ୍ୟାଗ, ବିଚକ୍ଷଣ ଚିନ୍ତାଧାରା ଓ ଅନ୍ତହୀନ ଜାତିପ୍ରୀତି ଅବିସ୍ମରଣୀୟ । ଓଡ଼ିଶା ଇତିହାସର ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ, ଏକ ପତିତ ଜାତିର ଉଦ୍ଧାର ପାଇଁ କାର୍ଯ୍ୟ କରିଥିଲେ ‘ଉତ୍କଳଗୌରବ’ । ତାଙ୍କ ଜାତିପ୍ରେମ, ସ୍ୱାଭିମାନ ଏବଂ ସୁଦୂରପ୍ରସାରୀ ଚିନ୍ତାଧାରା ସାମସମୟିକ କାଳଠାରୁ ଢେର୍ ଆଗରେ ଥିଲା । ତାଙ୍କ ଚିନ୍ତା-ଚେତନାକୁ ସଦା-ସର୍ବଦା ଆଚ୍ଛାଦିତ କରିରଖିଥିଲା ମୁଖ୍ୟତଃ ଦୁଇଟି ପ୍ରସଙ୍ଗ- ଓଡ଼ିଶା ଏବଂ ଓଡ଼ିଆ । ଇଂରେଜୀରେ ଏମ୍ଏ କରିଥିବା ସେ ପ୍ରଥମ ଓଡ଼ିଆ । ତାହା ଛଡ଼ା ସେ ମଧ୍ୟ ପ୍ରଥମ ଓଡ଼ିଆ ବିଏଲ୍, ପ୍ରଥମ ସଫଳ ଓଡ଼ିଆ ଓକିଲ, ପ୍ରଥମ ଓଡ଼ିଆ ବ୍ୟବସ୍ଥାପକ, ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ ଏବଂ ପ୍ରଥମ ଓଡ଼ିଆ ମନ୍ତ୍ରୀ । ‘ବାରିଷ୍ଟରୀ’ ଉତ୍ତୀର୍ଣ୍ଣ ହୋଇ ନ ଥିଲେ ହେଁ ଜନମାନସରେ ସେ ‘ମଧୁ ବାରିଷ୍ଟର୍’ । ଉଚ୍ଚ-ଶିକ୍ଷିତ ସାହେବମାନେ ତାଙ୍କୁ ଡାକୁଥିଲେ ‘ମିଷ୍ଟର୍ ଦାସ୍’ । ମଧୁବାବୁଙ୍କ ଜନ୍ମ ୧୮୪୮ ମସିହାର ଅପ୍ରେଲ ମାସ ୨୮ ତାରିଖରେ କଟକ ଜିଲ୍ଲାର ସତ୍ୟଭାମାପୁରଠାରେ ହୋଇଥିଲା । ତାଙ୍କ ପୂର୍ବ-ପୁରୁଷ ଖୋର୍ଦ୍ଧାରୁ କଟକ ଅନ୍ତର୍ଗତ ସତ୍ୟଭାମାପୁର ଆସିଥିଲେ । ତାଙ୍କ ପୂର୍ବ-ପୁରୁଷଙ୍କ ସାଙ୍ଗିଆ ପ୍ରଥମେ ‘ମଲ୍ଲ’ ଥିଲା । ପରେ ‘କାନଗୋଇ’, ‘ରାଉତରା’, ‘ଚୌଧୁରୀ’ ଓ ‘ଦାସ’ ହୋଇଥିଲା । ତେଣୁ, ସେ ପରିହାସରେ ନିଜକୁ କହୁଥିଲେ ‘ଥୁଣ୍ଟା ଦାସ’ । ଜୋତା କାରଖାନାରେ କାମ କରୁଥିବାରୁ କହୁଥିଲେ- ‘ପଣ୍ତିତମାନେ ମୋତେ ମୋଚି ଶିରୋମଣି ଉପାଧି ଦେଇପାରନ୍ତି ।’ ମଧୁବାବୁ ହୁକାପ୍ରିୟ ଥିଲେ । କୁକୁର ପାଳିବାକୁ ଭଲପାଉଥିଲେ । ତାଙ୍କ ଘରେ ସାହେବୀ ଢଙ୍ଗରେ ଭୋଜନ ପ୍ରସ୍ତୁତ ହେଉଥିଲା । ତେବେ, ଭୋଜି-ଭାତରେ ଓଡ଼ିଆ ରନ୍ଧା ସେ ପସନ୍ଦ କରୁଥିଲେ । ଢଗ-ଢ଼ମାଳି ବୋଲିବାରେ ସେ ପାରଙ୍ଗମ ଥିଲେ । ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ��କତ୍ର କରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବା ପାଇଁ ସେ ଆଜୀବନ ସଂଗ୍ରାମ କରିଥିଲେ । ଏଥି ଲାଗି ସେ ଗଠନ କରିଥିଲେ ‘ଉତ୍କଳ ସମ୍ମିଳନୀ’ । ଏହି ଅନୁଷ୍ଠାନ ସଂପର୍କରେ ସେ କହିଥିଲେ- "ଏହି ସମ୍ମିଳନୀ ଜାତି ପ୍ରାଣ ସିନ୍ଧୁ କୋଟି ପ୍ରାଣ ବିନ୍ଦୁ ଧରେ; ତୋ’ର ପ୍ରାଣ ବିନ୍ଦୁ ମିଶାଇଦେ, ଭାଇ! ଡେଇଁପଡ଼ି ସିନ୍ଧୁ ନୀରେ ।" ପ୍ରତ୍ୟେକ ଉତ୍କଳୀୟ ଜାତି ପାଇଁ ପାଞ୍ଚ ମିନିଟ୍ ଚିନ୍ତାକରିବାକୁ ସେ ସର୍ବଦା କହୁଥିଲେ । ୧୮୮୨ରେ ସେ ପ୍ରତିଷ୍ଠା କରିଥିଲେ- ‘ଉତ୍କଳ ସଭା’ । ୧୯୦୩େର ରମ୍ଭାର ଐତିହାସିକ ବୈଠକ ପରେ ତାଙ୍କରି ଉଦ୍ୟମରେ ହିଁ ପ୍ରତିଷ୍ଠିତ ହୋଇଥିଲା- ‘ଉତ୍କଳ ସମ୍ମିଳନୀ’, ଯାହାକୁ ପ୍ରଥମଟିର ପରିବର୍ତ୍ତିତ ଓ ପରିବର୍ଦ୍ଧିତ ସଂସ୍କରଣ କହାଯାଇପାରେ ଏବଂ ସେଥି ସହିତ ସମଗ୍ର ଓଡ଼ିଆ ଭାଷା-ଭାଷୀ ଅଞ୍ଚଳକୁ ଏକତ୍ର କରିବା କାର୍ଯ୍ୟ ସତ୍ୱର ହୋଇଥିଲା । ସମଗ୍ର ଓଡ଼ିଆ ଭାଷା-ଭାଷୀ ଅଞ୍ଚଳକୁ ଏକତ୍ର ଓ ଏକ ଶାସନାଧୀନ କରିବା ସହ ସ୍ଥାନୀୟ ଶିଳ୍ପ, କଳା, କୃଷି ଓ ବାଣିଜ୍ୟ ଆଦିର ବିକାଶ, ଭାଷା ଏବଂ ସଂସ୍କୃତିର ସୁରକ୍ଷା ତଥା ଜାତୀୟତାବୋଧର ପ୍ରସାର ଥିଲା ‘ଉତ୍କଳ ସମ୍ମିଳନୀ’ର ଲକ୍ଷ୍ୟ । ଏକ ମହାନ୍ ଜାତି ଗଠନ କାର୍ଯ୍ୟରେ ଆନ୍ତରିକ ଶ୍ରମର ଆବଶ୍ୟକତାକୁ ସେ ବୁଝୁଥିଲେ । ‘ଉତ୍କଳ ସମ୍ମଳନୀ’ ଓଡ଼ିଆଙ୍କ ମଧ୍ୟରେ ଏକତା ଆଣିଥିଲା; ଓଡ଼ିଆ ଜାତୀୟତାବାଦର ଉଦ୍ରେକ ହୋଇଥିଲା । ଜମିରେ କୃଷକର ମାଲିକାନା ଓ ନାରୀ ଶିକ୍ଷା ସପକ୍ଷରେ ସେ ମତ ଦେଉଥିଲେ । ନିଜ ଚିନ୍ତାଧାରାକୁ ନିର୍ଭୟରେ ପ୍ରକାଶ କରିବା ସହ ଯଥାସଂଭବ କାର୍ଯ୍ୟରେ ପରିଣତ କରୁଥିଲେ ମଧୁବାବୁ । ସାମାଜିକ ଏବଂ ଅର୍ଥନୈତିକ ପ୍ରଗତି ବିନା ରାଜନୈତିକ ପ୍ରଗତି ଯେ ଅସମ୍ଭବ ଓ ମୂଲ୍ୟହୀନ ସେ ବୁଝିଥିଲେ । ଜାତିଗଠନ ଦିଗରେ ଓଡ଼ିଶାବାସୀଙ୍କୁ ଅନୁପ୍ରାଣିତ କରିବା ପାଇଁ କବିତା ଲେଖୁଥିବା ମଧୁବାବୁ ସର୍ବଦା କହୁଥିଲେ, ଜାତି ହେଉଛି ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପରି ବିରାଟ ଓ ମହାନ୍ । ଜାତିରୂପକ ନନ୍ଦିଘୋଷକୁ ଆଗକୁ ଆଗକୁ ନେବା ପାଇଁ ସମସ୍ତେ ନିଃସ୍ୱାର୍ଥପର ଭାବେ ଏକ ମନ ଏକ ପ୍ରାଣ ହୋଇ କାର୍ଯ୍ୟ କରିଚାଲିବା ଏକାନ୍ତ ଆବଶ୍ୟକ । ତାଙ୍କର କେତେକ ଭାବ-ଉଦ୍ରେକକାରୀ କବିତା: ‘ମାଆ ମାଆ ବୋଲି କେତେ ମୁଁ ଖୋଜିଲି, ମାଆକୁ ପାଇଲିନାହିଁ; ଭାଇ ଭାଇ ବୋଲି କେତେ ମୁଁ ଭାଳିଲି, ନ ଦେଲେ ଉତ୍ତର କେହି ।"; "ଗୋଟିଏ ସନ୍ତାନ ଗୋଟିଏ ସ୍ୱରରେ ଜନନୀ ଜନନୀ ଡାକ; ତୃଷ୍ଣାରେ କାତର, ଗଗନକୁ ଚାହିଁ, ଯେସନେ ଡାକେ ଚାତକ ।"; "ଜାତି ପ୍ରେମ ବହ୍ନି ପ୍ରଜ୍ଜ୍ୱଳିତ କର, ସ୍ୱାର୍ଥକୁ ଦିଅ ଆହୁତି; ସ୍ୱାର୍ଥମେଧ ଯଜ୍ଞେ ଚାରି ଆଡ଼େ ନାଚ, ଛାତିକୁ ମିଶାଇ ଛାତି ।"; "ଜାତି ଇତିହାସ ଜାତିର ନିର୍ଝର, ତହୁଁ ବହେ ସଦା ଜାତି ପ୍ରାଣଧାର; ସେ ଧାରରୁ ନୀର ପିଉଛି ଯେ ନର, ନିଶ୍ଚୟ ସେ ହେବ ଜାତି କର୍ମବୀର ।"; "ଭୂମିକମ୍ପ ହେବ ଧରଣୀ ଫାଟିବ, ଉଠିବେ ସହସ୍ର ଭୁଜା; ସେହି ତୋର ମାତା ସେହି ତୋର ଭ୍ରାତା; କର ସେହି ପାଦ ପୂଜା ।"; "ଉଠରେ ଉଠରେ ଉତ୍କଳ ସନ୍ତାନ, ଉଠିବୁ ତୁ କେତେ ଦିନେ; ପୂରୁବ ଗୌରବ ପୂରୁବ ସାହସ, ପଡ଼ିବ କି କେବେ ��ନେ!"; "ତୁ ପରା ବୋଲାଉ ଉତ୍କଳ ସନ୍ତାନ ତେବେ କିମ୍ପା ତୁହି ଭୀରୁ; ତୋହରି ଜନନୀ ରୋଦନ କରିଲେ, କହିବାକୁ କିମ୍ପା ଡରୁ ।"; "ଜାତି ନନ୍ଦିଘୋଷ ଚଳିବ କି ଭାଇ, ସ୍ୱାର୍ଥକୁ ସାରଥି କଲେ; ଟାଣେ କିରେ ଗାଡ଼ି ଦାନାର ତୋବଡ଼ା, ଘୋଡ଼ା ମୁହେଁ ବନ୍ଧା ଥିଲେ ।" ଜୀବନରେ ବହୁ ଅର୍ଥ ଉପାର୍ଜନ କରିଥିଲେ ହେଁ ମଧୁବାବୁଙ୍କ ଶେଷ ଜୀବନ ଆର୍ଥିକ ଦୁର୍ଗତି ମଧ୍ୟରେ କଟିଥିଲା । ରୋଗଶଯ୍ୟାରେ ସେ କହିଥିଲେ- ‘ମୁଁ ତ ଯାଉଛି, ମନେରଖିଥିବ ଜଣେ ଓଡ଼ିଆ ଥିଲା ।’ ୧୯୩୪ ଫେବ୍ରୁଆରି ୪ ତାରିଖରେ ଛୟାଅଶୀ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା । Read the full article
0 notes
Text
ରାଜଧାନୀର ଅନୁଭୂତି
ବଣ ପାହାଡ଼, ନଦୀଝରଣା, ପୋଖରୀ ତୋଟା ପରିବେଷ୍ଟିତ ଏକ ଛୋଟିଆ ଗ୍ରାମ କୁନ୍ଦନପୁର । ସବୁ ସମ୍ପ୍ରଦାୟର ଲୋକ, ଯେପରି ଆମ ଭାରତବର୍ଷ ସେଭଳି ଏ ଗାଁରେ ବିଭିନ୍ନ ଧର୍ମ ଓ ବିଭିନ୍ନ ଭାଷାଭାଷୀ ଲୋକ ବସବାସ କରନ୍ତି । ଏହି ଗାଆଁର ନୈସର୍ଗିକ ଶୋଭା ପରିକଳ୍ପନାତୀତ । ସତେ ଯେମିତି ଇଶ୍ୱର ଏକ ଛୋଟିଆ ସ୍ୱର୍ଗ ନିର୍ମାଣ କାର୍ଯ୍ୟରେ ଆସି, ଏ ଗାଆଁକୁ ଗଢ଼ି ଚାଲିଯାଇଛନ୍ତି । ବଣ ଜଙ୍ଗଲର ଆଢ଼ୁଆଳରେ କିମ୍ୱଦନ୍ତୀ ମାଳାରେ ଭୂଷିତା ଏକ ସୁନ୍ଦରୀ ଦେବୀ ସଦୃଶ୍ୟ ତା' ରୂପରାଶି । ତା' ମାଟି ବାସ୍ନା, ବିହଙ୍ଗରାବ, ଆମ୍ୱତୋଟା ବିବ୍ରତ ମନେ ସଦା ଭରିଦିଏ ଅମାପ ଶାନ୍ତି । ସେହି ଗାଁର ବରଷା ରାତିର ଦର୍ଦ୍ଦୁର କ୍ରନ୍ଦନ ଏବେବି ମୋହିତ କରେ ସହର ଅଭିମୁଖେ ପଳାୟିତ ଗ୍ରାମବାସୀଙ୍କୁ । ଗ୍ରାମ ପଞ୍ଚାୟତ ସେତେବେଳକୁ ଅଗ୍ରସର ପଥେ । ମୋଟାମୋଟି ଉନ୍ନତି ହୋଇ ନ ଥାଏ କିନ୍ତୁ ଉନ୍ନତି ପଥେ । ନାରୀ ସଚେତନ ସମ୍ପୂର୍ଣ୍ଣ ଶୂନ୍ୟ । ଏମିତି କିଛି ପରିବାରରେ ନାରୀମାନଙ୍କୁ ସମ୍ୟକ ପାଠପଢ଼ାର ସୁଯୋଗ ମିଳିଥିଲା । ପ୍ରଥମେ ଗ୍ରାମରେ ଗୋଟିଏ ଝିଅ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହେଲା । ତାହାର କିଛି ବର୍ଷ ପରେ ଆଉ ଦୁଇଟି ଝିଅ, ଏମିତି ଉନ୍ନତିର କ୍ରମବିକାଶ ଘଟି ଆଜି କୁନ୍ଦନ ପୁର ଏକ ଉନ୍ମେଷିତ ଗ୍ରାମ୍ୟରେ ପରିଚିତ । ଶ୍ରୀମତି ହେଉଛି କୁନ୍ଦନପୁର ଗ୍ରାମର ଜଣେ ସ୍ନାତକୋତ୍ତର ଝିଅ । ତା' ଅସୁମାରୀ ସ୍ୱପ୍ନ ରାଇଜରେ ସେ ଗୋଟିଏ ସୁନ୍ଦର ସ୍ନପ୍ନକୁ ସାକାର କରିବା ପାଇଁ ସହରରେ ରହିବାକୁ ଚେଷ୍ଟା କରିଥିଲା । ସବୁ କ୍ଷେତ୍ରରେ ତାର ସ୍ୱତନ୍ତ୍ର ଆଗ୍ରହ ଥିଲା । ଗୀତ, ନାଚ, କଳା, ବାଣିଜ୍ୟ, ବିଦ୍ୟା ତଥା ଦର୍ଶନ, ଆଧ୍ୟାତ୍ମ ସବୁଥିରେ ତା' ଆଗ୍ରହ ଭରି ରହିଥିଲା । ସମ୍ଭ୍ରାନ୍ତ ପରିବାର ଯୋଗୁଁ ତା' ସମ୍ଭାବନାରେ ଖୁବ୍ ଆଘାତ ଆସିଥିଲା । ମାତୃ ପରିବାରରେ କଳାକୌଶଳ ଓ ଜ୍ଞାନର ଅଭିବୃଦ୍ଧି ପାଇଁ କିଛି ସୁଯୋଗ ନ ପାଇ ଶେଷରେ ଏକ ସହରୀ ବରଙ୍କୁ ସମ୍ୱନ୍ଧିତ ବିବାହ କଲା । ବିବାହର ଗୂଢ଼ ରହସ୍ୟ ବୁଝିବା ତା' ଜ୍ଞାନପରିଧିର ସୀମା ବାହାରେ । ସେ ଭାବିଥିଲା ବିବାହ ଦ୍ୱାରା ସହରରେ ରହି କିଛି ଲୁକ୍କାୟିତ କଳାକୌଶଳକୁ ବାହାର କରିବାର ସୁଯୋଗ ପାଇବ । କିନ୍ତୁ ସମୟର ଚକ୍ରରେ ପ୍ରତ୍ୟାବୃତ୍ତ ଭାଗ୍ୟରେ ଆସିଯାଇଥିଲା ଏକ ଅହେତୁକ ବିଡ଼ମ୍ୱନା । ଭାଗ୍ୟର ବ୍ୟତିକ୍ରମ ଘଟିଲା । ତା' ସ୍ୱାମୀଙ୍କ ଅପମୃତ୍ୟୁ । ଭାଗ୍ୟର କରାଳ ଗର୍ତ୍ତରେ ସେ ଭୁଲିଗଲା ନିଜ ଅସ୍ତିତ୍ୱ । ଏହି ଅଘଟଣ ପରେ ଖାଦ୍ୟ, ପାନୀୟ, ନିଦ୍ରା ସବୁକିଛି ତା' ପାଇଁ ବିରକ୍ତିକର ହୋଇଗଲା । କିନ୍ତୁ ଅନିଚ୍ଛା ସତ୍ତ୍ୱେ ସେ ଦୁଇଟି ପୁତ୍ର ସନ୍ତାନର ଜନନୀ ସାଜି ସାରିଥିଲା । ମାଆ ହିସାବରେ ଛାତିରେ ପଥର ରଖି ତାକୁ ଅଣ୍ଟା ଭିଡ଼ିବାକୁ ହିଁ ପଡ଼ିବ । ଜନନୀ ସ୍ରଷ୍ଟାଙ୍କ ଏକ ଅନବଦ୍ୟ ସୃଷ୍ଟି । ଦୁର୍ବଳ ଶରୀର, ଭଙ୍ଗା ମନୋବଳକୁ ନେଇ ପୁଣି ନିଜ ଗୋଡ଼ରେ ଠିଆ ହେବାପାଇଁ ଶ୍ରୀମତି ପ୍ରାଣପଣେ ଚେଷ୍ଟା କଲା । ତା' ଅତୀତ ପ୍ରତିଦିନ ଆସି ତା' ଦ୍ୱାର ଠକ୍ଠକ୍ କରେ, ଦ୍ୱାର ଖୋଲିବା ତ ଦୂରର କଥା ଶ୍ରୀମତି କବାଟର ସେ ଠକ୍ଠକ୍ ଶଦ୍ଦ ଶୁଣିବାକୁ ବି ନାରାଜ । ବାରମ୍ୱାର ଢଳିପଡ଼ୁଥାଏ କିନ୍ତୁ ସେ ଭଗବତ ପ୍ରେମୀ ହୋଇଥିବାରୁ ସଂସାର ରୂପି ରଙ୍ଗମଞ୍ଚରେ ଅଭିନୟ ନାୟିକା ସାଜି ଦିନ କାଟୁଥାଏ । ସନ୍ତାନମାନଙ୍କୁ ସୁଯତ୍ନ ଓ ଉତ୍ତମ ପରାମର୍ଶ ଭିତରେ ରଖିଥାଏ । ସମୟ କ୍ରମେ ତା' ସନ୍ତାନ ଦୁଇଟି ଭଲ ନମ୍ୱର ପାଇ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହେଲେ । ସୁଦୂର ଘନ ଆକାଶରେ ନକ୍ଷତ୍ର ପୁଞ୍ଜା ଠାବ କଲାପରି, ପୁଣି ତା' ଆଖିରେ ସ୍ୱପ୍ନପୁଞ୍ଜା । ଅନୁକୂଳ ପରିସ୍ଥିତି ଆଉ ଅଲୈାକିକ ଦୈବୀକୃପାରୁ ସେ ଦୁଇଟି ସନ୍ତାନକୁ ନେଇ ଆଜି ରାଜଧାନୀ ବାସିନ୍ଦା । ଖ୍ୟାତିସମ୍ପନ୍ନ ବିଦ୍ୟାଳୟ ଗୁଡ଼ିକରେ ଏକାଦଶ ଶ୍ରେଣୀରେ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ପ୍ରବେଶ କରାଇବାକୁ ସମର୍ଥ ହୋଇପାରିଲା । ଅନେକ ସମୟରେ ଗୁଡ଼ାଏ ଅଡ଼ୁଆ ସୂତାକୁ ନେଇ ତା' ଜୀବନରେ ଚାଲିଥାଏ ସମସ୍ୟାଯୁକ୍ତ ଭାଗକ୍ରିୟା । ଜାଣେନା ତା' ଭାଗକ୍ରିୟାର ଭାଗଶେଷ ଛିଣ୍ଡିବ ନା ଅଛିଣ୍ଡା ରହିଯିବ । ତଥାପି ଅନବରତ ଚେଷ୍ଟା ଚଲାଇଥାଏ ସନ୍ତାନମାନଙ୍କୁ ଗୋଟିଏ ସୁଶୃଂଖଳିତ ଜୀବନ ଦେବାପାଇଁ । ଜନ୍ମମାଟି, ଗାଆଁ, ସହର, ଆତ୍ମୀୟ ସଜ୍ଜନ, ସାହିପଡ଼ୋଶୀ ଓ ସାଙ୍ଗସାଥି ସମସ୍ତଙ୍କୁ ଛାଡ଼ି ଶ୍ରୀମତି ଆସିଯାଇଛି ରାଜଧାନୀ । ଆତ୍ମୀୟଙ୍କ ସହାୟତାରେ ସେ ଭଡ଼ାଘରଟିଏ ପାଇଛି । ସେ ଭାବିଥିଲା ରାଜଧାନୀ କଥା ଭାରି ଗୁମର କିନ୍ତୁ ସେମିତି କିଛି ନାହିଁ । ଏଠାକାର ଲୋକ, ସାଙ୍ଗସାଥି, ଜଳବାୟୁ, ପରିବେଶ ତଥା ବିଦ୍ୟାଳୟ ସବୁକିଛି ଭଲ । ଶ୍ରୀମତି ଖାଲି ଘର ମାଲିକାଣୀ ପାଖରେ ଟିକିଏ ହଇରାଣ ହରକତ ହୋଇଥିଲା । କୂପମଣ୍ଡୁକ ସଦୃଶ୍ୟ ସେ ବାହାର ଦୁନିଆ ସହ ଅପରିଚିତା ଥିଲା, ଆଉ ଭାବୁଥିଲା ଏ ସଂସାରର ସମସ୍ତ ଲୋକ ତା'ଭଳି ଉଦାରହୃଦୟୀ । ଘର ମାଲିକାଣୀର ନାଁ ଥିଲା ସଞ୍ଜବତୀ ପ୍ରଧାନ । ଶ୍ରୀମତି ତାକୁ ଭୟରେ ସଞ୍ଜୁ ଭାଉଜ ବୋଲି ଡାକେ । ବୟସରେ ଶ୍ରୀମତି ତା'ଠୁ ବଡ଼ କିନ୍ତୁ ସେ ପ୍ରଥମ ଦିନ ସଞ୍ଜୁର ମାଲିକାଣୀ ବେଶ ଦେଖି ଭୟରେ ତା' ପାଟିରୁ ଆପେ ଆପେ ଭାଉଜ ଡାକ ବାହାରି ଆସିଥିଲା । ପୁଣି ପ୍ରଥମ ଡାକକୁ ସବୁଦିନ ଶ୍ରୀମତିକୁ ନିଭାଇବାକୁ ପଡ଼ିଥିଲା । ଏପଟେ ସଞ୍ଜୁର ଛାତି କୁଣ୍ଢେ ମୋଟ । କାହିଁ କୋରାପୁଟ ଜିଲ୍ଲା ଦୂରପାହାଡ଼ କାଟି କାଟି ୭୨୦କିମିରୁ ଆସି ଜଣେ ବ୍ରାହ୍ମଣ କୂଳବଧୁ ସଞ୍ଜୁକୁ ଭାଉଜ ବୋଲି ସ୍ନେହବୋଳା ସମ୍ୱୋଧନ କରିବା ତାକୁ ବହୁତ ଆନନ୍ଦ ଦେଉଥିଲା । ଏପଟେ ବାହ୍ୟଜଗତ ପ୍ରତି ସମ୍ପୂର୍ଣ୍ଣ ଅନଭିଜ୍ଞା ଶ୍ରୀମତି ନିଜେ ଯୋଉ ପ୍ରକୃତିର ଅନ୍ୟମାନେ ବି ସେ ପ୍ରକୃତିର ଭାବେ । ଏଥିପାଇଁ ତ ଏ ରାଜଧାନୀ ମାଟିରେ ତାକୁ କିଛି କଷ୍ଟ ସହିବାକୁ ପଡ଼ିଥିଲା । ସଞ୍ଜୁ ଦେଖିଲା ଝିଅଟା ପଢ଼ୁଆ, କିନ୍ତୁ ଉପସ୍ଥିତ ବୁଦ୍ଧିର ଅଭାବ । ଶ୍ରୀମତିର ଭାଉଜ ଡାକଶୁଣି ସଞ୍ଜୁ ଶ୍ରୀମତିକୁ ଆଲିଙ୍ଗନ କରି ଅଭିନୟେ କୁମ୍ଭୀର କାନ୍ଦଣା କାନ୍ଦିଥିଲା । ଏପଟେ ଶ୍ରୀମତି ନିଜ ଆତ୍ମୀୟ ମାଟି, ବନ୍ଧୁ ବାନ୍ଧବ, ପିତାମାତା, ଭାଇଭଉଣୀ, ଶାଶୂଶ୍ୱଶୁର ସମସ୍ତଙ୍କୁ ଛାଡ଼ି ରାଜଧାନୀ ଯାଇଛି ପୁଣି ଏଭଳି ଆତ୍ମୀୟ ଭାଉଜଟିଏ ପାଇ ଭୋଭୋ ହୋଇ କାନ୍ଦି ଉଠିଛି । ଏହି କନ୍ଦାକନ୍ଦି ଭିତରେ ସଞ୍ଜୁ ଏକ ନୀଚ ଚାହାଣୀ ପକାଇଛି ଶ୍ରୀମତିର ଜିନିଷ ପତ୍ର ଉପରେ । ସଞ୍ଜୁର ମନକଷ୍ଟ ହୋଇଛି ଯେ ଶ୍ରୀମତି ସେମିତି କିଛି ଆଖିଦୃଶିଆ ଜିନିଷ ପତ୍ର ଆଣିନାହିଁ । ଆଣିଛି ଖାଲି ବସ୍ତା ବସ୍ତା ବହି । ବହି ସହ ସଞ୍ଜୁର କିଛି ମତଲବ ହିଁ ନାହିଁ । ତଥାପି ଅତି କଷ୍ଟରେ ସଞ୍ଜୁ ତା' ମନକୁ ବୁଝାଉଥାଏ ଜିନିଷ ପତ୍ର ନ ଆଣିଲେ କ'ଣ ହେଲା ଶ୍ରୀମତି ହାତରେ ଗୁଡ଼ାଏ କାମ କରାଇବା ପାଇଁ ମନେ ମନେ ଚିଠା ପ୍ରସ୍ତୁତି କରିଛି । ଆତ୍ମୀୟ ପରି ଅଭିନୟ ନିଭାଇବା ପାଇଁ ସଞ୍ଜୁର କିଛି ସମୟ ବିତି ଯାଇଛି । ଏପଟେ ସଞ୍ଜୁର ଘରେ ସ୍ୱାମୀ ମହେଶ ପ୍ରଧାନ, ଝିଅ ପାୟଲ୍ ଓ ପୁଅ ଦେବାଶିଷ ରୁହନ୍ତି । ସେମାନେ ସମସ୍ତେ ନିଜକୁ ବିଧିବଦ୍ଧ ଭାବେ ଗଢ଼ିବାକୁ ପ୍ରୟାସ କରନ୍ତି ସଞ୍ଜୁ ଭଳି । ସ୍ୱାମୀ ମହେଶ ସଞ୍ଜୁର ଆଖି ଦୁଇଟାକୁ ଭାରି ଭୟ କରନ୍ତି । ସଞ୍ଜୁର ପ୍ରତ୍ୟେକ ଚାହାଣୀର ପରିଭାଷା ସ�� ସ୍ୱାମୀ ମହେଶ ଖୁବ୍ ପରିଚିତ । ସେ ନିଜକୁ ସଞ୍ଜୁ ପାଖରେ ନିବିଡ଼ ଭାବେ ସମର୍ପି ଦେଇଛନ୍ତି ଆଉ ସମ୍ପୂର୍ଣ୍ଣ ଭାବେ ନିଜସ୍ୱ ଜ୍ଞାନକୁ ହରାଇ ବସିଛନ���ତି । ସଞ୍ଜୁର ଆଖିରେ ସେ ଦୁନିଆ ଦେଖନ୍ତି, ସଞ୍ଜୁର ଜିହ୍ୱାରେ ସ୍ୱାଦ ବାରନ୍ତି ଆଉ ସଞ୍ଜୁର କଥାରେ ଉଠବସ କରନ୍ତି । ଯେଉଁ ଭଡ଼ାଟିଆ ସେ ଘରକୁ ଆସନ୍ତି, ଅଳ୍ପଦିନରେ ସଞ୍ଜୁର ପ୍ରକୃତି ସହ ଖାପ ଖୁଆଇ ଚଳି ନ ପାରି ଚାଲିଯାଆନ୍ତି । ତେଣୁ ପୁଅଝିଅ ବେଳେବେଳେ ସଞ୍ଜୁକୁ ଥଟ୍ଟାରେ ତାଗିଦ୍ କରନ୍ତି, "ମମି ହୁସିଆର୍... ମମି ହୁସିଆର୍ ।" ଶ୍ରୀମତି କିଛି ବୁଝି ପାରୁନଥାଏ । ଭାବେ ଏତେ ଭଲଲୋକଙ୍କୁ ଏମାନେ ବାରମ୍ୱାର ହୁସିଆର ହୁସିଆର କାହିଁକି କହନ୍ତି? ଆଜି ପର୍ଯ୍ୟନ୍ତ ସେ ଘରେ ଦୁଇମାସରୁ ଅଧିକ କେହି ତିଷ୍ଠି ନାହାନ୍ତି । ଶ୍ରୀମତି ପ୍ରାଣପଣେ ନଅ ମାସ ବିତାଇଥିଲା । ସେ ତା' ମନକୁ ବୁଝାଇସାରିଥିଲା ଯେ ଯାହା ଦୁଃଖ କଷ୍ଟ ହେଲେ ବି ସେ ପୁଅ ଦୁଇଟାକୁ ଯୋଗ୍ୟ କରିବାପାଇଁ ସହିନେବ । ଏମିତି ଗୁଡ଼ାଏ ଘାତପ୍ରତିଘାତକୁ ପ୍ରତିଦିନ ଶ୍ରୀମତି ସାମ୍ନା କରେ । ଘରଟି ପଢ଼ାପଢ଼ି ବାତାବରଣର ଅନୁକୂଳ ହୋଇ ଥିବାରୁ ସେ ମୁଣ୍ଡପାତି ସବୁକଷ୍ଟକୁ ସହି ନେଇଥିଲା । ଅନ୍ୟପଟେ ପୁଅମାନେ ବି କେବେ ଶ୍ରୀମତିକୁ ନିନ୍ଦିତ କରି କାଳେ କହିଦେବେ ଯେ ସେମାନଙ୍କର ଶିକ୍ଷା ପାଇଁ ମାଆ ଏତିକି ସହି ପାରିଲେନି ଏପରି ସବୁ ଭାବନାକୁ ଆଖି ଆଗରେ ରଖି ଶ୍ରୀମତି ସହିଚାଲିଥାଏ । ସନ୍ତାନ ପାଇଁ ଗୋଟିଏ ମାଆକୁ କେତେ ତ୍ୟାଗ ନିଷ୍ଠା ପରାକାଷ୍ଠାର ଯୂପକାଠରେ ମୁଣ୍ଡ ନୁଆଇଁ ବଳି ଖାଇବାକୁ ହୋଇଥାଏ । ନିଜ ଶରୀରର ଏକ ଏକ ରକ୍ତବିନ୍ଦୁକୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ମାଆ ବଳି ଦେଇଚାଲିଥାଏ । ଏମିତି ଅନେକ ସମସ୍ୟା ସହ ବିତିଗଲା ଅନେକ ଦିନ । ସଞ୍ଜୁର ସନ୍ତାନ ଦୁଇଟି ଅପାରଗ ହୋଇ ରାସ୍ତାରେ ବୁଲିବାକୁ ଲାଗିଲେ ତେଣୁ ସେ ଶ୍ରୀମତିର ସନ୍ତାନମାନଙ୍କ ଉପରେ କୁଦୃଷ୍ଟି ନିକ୍ଷେପ କରିବାକୁ ଲାଗିଲା । ହେଲେ ଶ୍ରୀମତି କ'ଣ, କିପରି କହି ଘରୁ ତା' ସନ୍ତାନ ଦୁଇଟିକୁ ବାହାର କରିବ ବୁଝିପାରୁନଥାଏ । ଦିନେ ଶ୍ରୀମତିର ଜ୍ୟେଷ୍ଠ ପୁତ୍ର ମହାବିଦ୍ୟାଳୟରୁ ଫେରିବା ଦେଖି ସଞ୍ଜୁର ପୋଷା ଶୁଆ ଖୁସିରେ ନାଚି ନାଚି ତା' ନାଆଁ ଧରି ଡାକିବାକୁ ଲାଗିଲା । ଏହା ଦେଖି ସଞ୍ଜୁ ରାଗରେ ଥମଥମ ହୋଇ ଆସି କହିଲା, "ଖାଉଛୁ ଜଣଙ୍କର ଆଉ ଗାଉଛୁ ଜଣଙ୍କର, କୃତଘ୍ନ ପକ୍ଷୀଟା, ତୋ ବେକ ମୋଡ଼ି ଫୋପାଡ଼ିଦେବି ।" ଗୋଟିଏ ନିରୀହ ପକ୍ଷୀଜାତିର କୁତ୍ସାରଟନା ଶୁଣି ଶ୍ରୀମତିର ସନ୍ତାନ ଭାଙ୍ଗି ପଡ଼ିଥିଲା ଆଉ ତା' ହୃଦୟକୁ ଏତେ କୁଠାରାଘାତ କଲା ଯେ ସେ ନିଜେ ତା ମାଆଙ୍କୁ ବୁଝାଇ କହିଲା, "ମାଆ ଏ ଘର ଆମେ ଛାଡ଼ିଦେବା । ଯୋଉ ଘରେ ଗୋଟେ ନିଷ୍ପାପ ପକ୍ଷୀର ସ୍ଥାନ ନାହିଁ ସେଇଠି ଆମେ ରହିବା ଠିକ୍ ନୁହେଁ ।" ଶ୍ରୀମତିର ରାସ୍ତା ଖୋଲିଗଲା, ସେ ପରିଚିତ ଲୋକଙ୍କ ସାହାଯ୍ୟରେ ନୂଆଘରଟେ ପାଇ ସେଇଠୁ ବିଦାୟ ନେଲା । ବିଦାୟ ଅବଶ୍ୟ କରୁଣ ଥିଲା ତା' ପାଇଁ ତଥାପି ବାଧ୍ୟତାମୂଳକ ଥିଲା । କିନ୍ତୁ କିଛି ଦିନ ପରେ ଶ୍ରୀମତି ଜାଣିବାକୁ ପାଇଲା ଯେ ସଞ୍ଜୁ ଜଣେ ମାନସିକ ବିକୃତିଗ୍ରସ୍ତ ରୋଗୀ । ସେ ବହୁତ ଦୁଃଖ କ��ିଥିଲା । ସତରେ ରାଜଧାନୀ ଲୋକେ ବହୁତ ଭଲ ମୁଁ କାହିଁକି ସଞ୍ଜୁ ଭାଉଜଙ୍କୁ ଭୁଲ ବୁଝି ଘର ଛାଡ଼ିଦେଲି ବୋଲି ନିଜକୁ ଧିକାର୍ କଲା ଆଉ ଫେରିଲା ବେଳେ ତାଙ୍କ ଆଶୀର୍ବାଦ ନେଇ ଘରକୁ ଫେରିଲା । ବାସ୍ତବରେ ଆମେ କାହା ବିଷୟରେ କୌଣସି ସିଦ୍ଧାନ୍ତ ବା ଆଲୋଚନା କରିବା ଅନୁଚିତ । ଇଶ୍ୱର ସମସ୍ତଙ୍କୁ କିଛି ନା କିଛି ଦିବ୍ୟଗୁଣରେ ମଣ୍ଡିତ କରିଛନ୍ତି । - କଲ୍ୟାଣୀ ହୋତା Read the full article
0 notes
Text
ନାଟକର ଶେଷ ଦୃଶ୍ୟ
ଅଢ଼େଇ ଅକ୍ଷରେ ସମ୍ପୂର୍ଣ୍ଣ ଏ ନାଟକର ଶୀର୍ଷକ ପଞ୍ଚଇନ୍ଦ୍ରିୟରେ ସପ୍ତଗୁଣ ଖୋଜେ ଏ ନାୟକ ସାତଗ୍ରହ ଚରିତ୍ରର ସ୍ରଷ୍ଟା ନିର୍ଦ୍ଦେଶକ ତୁମେ ତୁମେ ହିଁ ରଙ୍ଗମଞ୍ଚର ଲେଖକ, ପାଳକ ଓ ଦର୍ଶକ । ପ୍ରଥମ ଦୃଶ୍ୟ ଦିଏ ମୋହ, ମାୟା, ବୈରାଗର ପରିଚୟ ଦ୍ୱିତୀୟ ଦୃଶ୍ୟରେ ଥାଏ ଆଚାର ବିଚାରର ସମନ୍ୱୟ ନାୟକର ଉର୍ଦ୍ଧ୍ବଗାମୀ ମୋହ ଯେବେ ଅତିକ୍ରମ କରେ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କିଏ ବା କଳ୍ପନା କରିବ, କ'ଣ ହବ ନାଟକର ଶେଷ ଦୃଶ୍ୟ । ସମୟ ଚକ୍ରବ୍ୟୁହରେ ସୀମିତ ନାଟକର ପରିସୀମା ସତ୍ୟ ଓ ମିଥ୍ୟା ଉତ୍ତାରେ ମାପିହେବ କି ଅକ୍ଷାଂଶ ଦ୍ରାଘିମା ଧୈର୍ଯ୍ୟ ଓ ସାହସ ଯୋନିରେ ଉଠାଇ ପାରିବ କି ମଞ୍ଚର ଭାରସାମ୍ୟ କେମିତି ସାଜସଜ୍ଜା କି ଗୀତିନୃତ୍ୟର କାମ୍ୟ । ପ୍ରତି ଦୃଶ୍ୟର ଅନ୍ତରାଳେ ଶୂନ୍ୟ ସମ୍ମତରେ ମୁଁ ଅସମର୍ଥ ପଞ୍ଚଇନ୍ଦ୍ରିୟରେ ପ୍ରତିକ୍ଷଣ ସପ୍ତଗୁଣ ଖୋଜେ ଏ ନାୟକ ନାୟକର ଉର୍ଦ୍ଧ୍ବଗାମୀ ମୋହ ଯେବେ ଅତିକ୍ରମ କରେ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କିଏ ବା କଳ୍ପନା କରିବ, କ'ଣ ହେବ ନାଟକର ଶେଷ ଦୃଶ୍ୟ? Read the full article
0 notes
Text
ନୀରବାର ଭାଷା
ଏହି ପଥରେ ଯାତ୍ରୀ ଭାବରେ ହଜାଇଛି କି ଅସ୍ତିତ୍ୱ ନିଜର, ଅବା ଏହା ଲକ୍ଷ୍ୟ ନୁହେଁ ମରୀଚିକା କେବଳ, ଆସନ୍ତି କେତେ ମୋ ଅଟ୍ଟାଳିକାକୁ, ବୋଲନ୍ତି ମୋ ଅନୁଗାମୀ, ସଫଳ ବ୍ୟକ୍ତିଙ୍କୁ ଅନୁକରଣ କରନ୍ତି ସଫଳତା କାମୀ, ଚାହେଁନି, ଆସି ଏହି ଉଚ୍ଚତାକୁ, ହୁଅନ୍ତୁ ମୋ ଭଳି ନିରାଶ, ବିକ୍ଷିପ୍ତ ହେଉ ସେ ଆଦର୍ଶ ଜୀବନ ଓ ନାନା ଅଭିଳାଷ, ଭାବନା ଆସେ ଭାଙ୍ଗିଦିଅନ୍ତି ସଭ୍ୟତାର ମୋ ଘର, ଡର ଲାଗେ, ମୋତେ ବୋଲାଇବ ସ୍ୱାର୍ଥପର ଏ ସଂସାର, ଏଥି ମଧ୍ୟରେ ପହଞ୍ଚିଛି ନିଷ୍ପତ୍ତିର ସେ ବେଳ, ଭୂପୃଷ୍ଠକୁ ଖସିଯିବି ଛାଡ଼ି, ମୋହ ହେବାର ସଫଳ, ଖୁସିର ମିଛ ଅଭିନୟଠାରୁ ହେବ ପତନ ମୋ ଉତ୍ତମ ପାଷାଣ ରୁପି ଏ ଜୀବନରେ ହେବ ଶାନ୍ତିର ଅଙ୍କୁରୋଦ୍ଗମ, ଡେଇଁଲି ଉଚ୍ଚତାରୁ ଚିନ୍ତି ଉପଲବ୍ଧ ବିକଳ୍ପ, ମନରେ ଉଦୟ ସ୍ମୃତି, ଅନୁଶଚନା ବି ଅଳ୍ପ । ଛାଡ଼ୁଥିଲି ସେ ଗର୍ବ ଗାରିମା ଛୁଇଁ ବାୟୁ ତରଙ୍ଗ, ମନ ମୋର ଥିଲା ଖୁସି ଯେମିତି ନିଆଁ ପାଶେ ପତଙ୍ଗ, ମୂର୍ଖ ସେ ପତଙ୍ଗ ଜଳୁଛି ଅନଳେ ପାଇବା ପାଇଁ କି ଖୁସି ଅବା ବୁଦ୍ଧିମାନ ଲଭିଛି ସେ ଶାନ୍ତି କ୍ଷଣିଏ ଆଲୋକେ ବସି, ବର୍ଷ ବର୍ଷର ଜୀବନରେ ଲୋଡ଼ା ଖୁସିର ମୁହୂର୍ତ୍ତ କେବଳ ମୃତ୍ୟୁର ଭୟଠାରୁ ତା'ର ଆକର୍ଷଣ ସବଳ । ଭବନା ସରିବା ଆଗରୁ ଆସି ପଡ଼ିଲି ମୁଁ ଭୂମିରେ, ଆଶା କରୁଥିଲି ଖୁସିର ଉଦିତ ଅରୁଣ ଅନ୍ତରେ, ଶୁଷ୍କ ମରୁଭୂମିରେ ମିଳିବ ଜଳସ୍ରୋତ ପ୍ରମାଣ, ମହାଜାଗତିକ ପିଣ୍ଡରେ, ଯେମିତି ମହାକର୍ଷଣ । ଦେଖିବା ପାଇଁ ଖୁସିର ଅସ୍ତିତ୍ୱ ଝାଙ୍କେ ମନ ଭିତରେ, ଉପରେ ଥିଲେ ଅନ୍ଧାର, ଅନ୍ଧାର ରହିଛି ତଳେ, ନାହିଁ ଏବେ ମଧ୍ୟ ମନରେ ଖୁସିର ଅବସ୍ଥାନ । ନାହିଁ ହସ, ନା ଲୁହ, ନା ଉପସ୍ଥିତିର କାରଣ, ସମୟର ପ୍ରତି କ୍ଷଣ, ମୋ ଉପରେ ବୋଝ ପରି ବିତେ, "ବ୍ୟର୍ଥ ଗଲା ଏ ଚେଷ୍ଟା" ଏପରି ମନ ମୋ ��ିନ୍ତେ । ବିଭିନ୍ନ ଭାବନା ଅବା ପରିଣାମେ ମନ ମୋ ରହିଲା ଲିପ୍ତ, ଦେଖିଲି ଜଣେ ପୁରୁଷର ମୁହଁ ଖୁସିର ଆଭାରେ ଦୀପ୍ତ, ସୁନ୍ଦର ସେହି ଅସ୍ତିତ୍ୱରେ ଶୋଚନାର ନାହିଁ ବ୍ୟଥା, ଔର୍ଯ୍ୟଭରା ସେ ମୁଖମଣ୍ଡଳ କହିଯାଏ କେତେ କଥା, ଦୈବୀ ଆଶୀର୍ବାଦ ସ୍ୱରୂପ ପାଖକୁ ଆସିଲେ ସନ୍ଥ ମୋତେ ଲୋଡ଼ା ଥିଲା କାହାଣୀ, ସେ ଥିଲେ ଗଳ୍ପର ଗ୍ରନ୍ଥ । ଯେଉଁ ମନ ଡରୁଥିଲା କହିବାକୁ, ଅଜଣା ବ୍ୟକ୍ତିରେ କଥା, ସେହି ମନ ଏକ ନିଃଶ୍ୱାସେ କହିଯାଏ ନିଜ ବ୍ୟଥା, ଦେଖି ସେହି ସମାଜ କଲି ମୁଁ ସ୍ମୃତି ଚାରଣ, ମନରେ ଉପସ୍ଥିତ, ସଫଳ ବ୍ୟକ୍ତିଗଣ, ଖୁସି ସେମାନେ ବି ଥିଲେ ସେ ଉଚ୍ଚତାରେ, ଖୁସି ଏମାନେ ବି, ରହି ମହୀପୃଷ୍ଠରେ, ଆଗମନ ସେହି ସାଧୁଙ୍କ, ଜିଜ୍ଞାସୁ ମୋ ଉତ୍ତରର ମୁଁ ଭାଷିଲି, "ଦେଖିଲି, ବୁଝିଲି, ଶିଖିଲି ଏ ସଂସାର, ଖୁସି ମିଳେ ନାହିଁ ଉପସ୍ଥିତ ଯଦି ମନରେ ଦୋଷ, କାଠ ସିନା ଜଳେ ଅନଳେ ଛାଡ଼ିଯାଏ ପାଉଁଶ, କାଠ ଦୋଷ ଦିଏ ଅଗ୍ନିକୁ ତା'ର ଦହନ ପାଇଁ, ଏକା ଅଗ୍ନି କିବା ଜାଳିବ ଯଦି ପବନ ନାହିଁ, ସବୁଜ ଗଛ ଯେ ଗଢ଼ିଲା କରି ଆଦର ପୁତ୍ର ସମାନ, ଏବେ ମୁଖାଗ୍ନି ଦେଉଛି ସେହି ଅମ୍ଳଜାନ, ଦୋଷ ଅଛି କାଠର, ନିଆଁ ତ ତୃତୀୟ ପକ୍ଷ, କର୍ତ୍ତବ୍ୟ ଠିକ୍ରେ କରିବା ଏକମାତ୍ର ତା' ଲକ୍ଷ୍ୟ, ମନର ବଇରୀ ମୁଁ ଅନ୍ୟକୁ ଦୋଷୀ କରେ, ଏପରି ଗୁଣର ଅଧିକାରୀ ଖୁସି ରହିବି କେଉଁ ଉଚ୍ଚତାରେ ! କହୁଛି ମୁଁ ମୋ ଅବଲୋକନର ଶେଷକଥା, ଖୁସିର କାରଣ ମନ ନୁହେଁ ନିର୍ଦ୍ଦିଷ୍ଟ ଉଚ୍ଚତା । ସଭ୍ୟତାର ଏକ ଅଟ୍ଟାଳିକାରେ ବସିରହିଛି ମୁହିଁ ଶାନ୍ତ କାୟା, ଶିଥିଳ ଅଙ୍ଗ ମାତ୍ର ମନରେ ଶାନ୍ତି ନାହିଁ । ଗୌରବ ଗାରିମାର ଭିତ୍ତିଭୂମିରେ ଏ ଘରଟି ମୁଁ ତୋଳିଛି, ଅତି ନିଜର ଏ ଅଟ୍ଟାଳିକା ଆଜି କାହିଁକି ପର ଲାଗୁଛି ! କାହିଁକି ମୋ ହସରେ ନାହିଁ ଖୁସି ଲେଶମାତ୍ର, କାହିଁକି ସ୍ୱାଦ ଜଣାପଡ଼ୁନି ନିମ ଅବା ମହୁର । କାହିଁକି ଶ୍ୱାସ ପ୍ରଶ୍ୱାସରେ ନାହିଁ ଜୀବନର ପଦଚିହ୍ନ, ଐଶ୍ୱର୍ଯ୍ୟପୂର୍ଣ୍ଣ ଏହି ଜୀବନଟି ଆଜି ଲାଗୁଛି କେଡ଼େ ଦାରୁଣ । ପିଲାବେଳେ ମାଟି ଉପରେ, ଧୂଳି ଖେଳୁଥିବା ବେଳେ ଗର୍ବର ଏହି ସୌଧମାନ ଦେଖୁଥିଲି ରହି ତଳେ । ସଫଳତାର ଆଭା ଓ ତାରକାରେ ଆଲୋକିତ ସେ ଗମନ, ସେହି ପଥର ଯାତ୍ରୀ, ହେବାରେ ଥିଲା ମୋ ମନ ଆଜି ଯେବେ ସେ ପଥରେ ଚାଲି ପହଞ୍ଚେ ମୋ ଲକ୍ଷ୍ୟ କାହିଁକି ମୁଁ ଦେଖି ପାରୁନି ନିଜକୁ ନିଜ ଭିତରେ? - ଅଭୟ କୁମାର ପଣ୍ଡା Read the full article
0 notes
Text
ଆଟଲାସ୍ ଉବାଚ (The Speaking Atlas)
ପ୍ରଥମ ଦୃଶ୍ୟ: ୮ ମାର୍ଚ୍ଚ ୨୦୧୮, ଗୁରୁଗ୍ରାମ, ହରିୟାଣା
"ଛୋଟ ମୋର ଗାଁ ଟି ଭୂଗୋଳ ପୋଥି ପତରେ ପଛେ ନଥାଉ ତାର ନାଁ ଟି..." ସଚ୍ଚି ରାଉତରାୟଙ୍କ ଏହି କବିତାକୁ ନବେ ଦଶକରେ ଆମ ଦୂରଦର୍ଶନ (ଡିଡି ଓଡ଼ିଆ)ରେ ପ୍ରଥମଥର ପାଇଁ ଦେଖି ମୋ ଆଇଙ୍କ ଖୁସି କହିଲେ ନ ସରେ... ସେତେବେଳେତ ଆଜିକାଲି ପରି ଶହ ଶହ ଚ୍ୟାନେଲ୍ ନଥିଲା । ସେ ଯୁଗରେ ଯଦି ଗୁଗୁଲ୍ ମାନଚିତ୍ର ଥା'ନ୍ତା, ହୁଏତ ମୁଁ କବି ମହୋଦୟଙ୍କୁ ସମ୍ବେଦନା ଦେଇ କହି ପାରିଥାନ୍ତି ଯେ "ଏଥିରେ ଦୁଃଖ କରିବାର କ'ଣ ଅଛି? ଭୂଗୋଳ ବହିରେ ଯଦି ନାହିଁ ଆମ ଆଟଲାସ୍ କି ଗୁଗୁଲ ମାନଚିତ୍ରରେ ତ' ଅଛି । ଯଦି ନାହିଁ ଆମେ ମିଳିମିଶି ଆମର ସେଇ ଛୋଟ ପଲ୍ଲି ଗାଁ'ଟିକୁ କ'ଣ ଯୋଡ଼ିଦେଇ ପାରିବାନି ଆଟଲାସ୍ କି ଗୁଗୁଲ୍ ମାନଚିତ୍ରରେ? ବିଜ୍ଞାନ ପରା କେତେ ଆଗେଇଲାଣି !!! ଆମ ଗୁରୁଗ୍ରାମରେ ତ' ଗୁଗୁଲ୍ର ଅଫିସ ଅଛି ମୁଁ ସେ'ଠି ମାନବ ସମ୍ବଳ ସଂଶାଧନ ବିଭାଗରେ କାମ କରେ, ଦରକାର ପଡ଼ିଲେ ଆମେ ସେ'ଠିକି ଯିବା- ଆମ ବୈଜ୍ଞାନିକଙ୍କୁ ମିଶିବା"... ସ୍ୱପ୍ନରେ ନିକ୍ୱଣ (Nikon)ର ଏହି ଯୁକ୍ତିକୁ ମୁଁ ଚୁପ୍ଚାପ୍ ଶୁଣୁଥାଏ । ଆଟଲାସ୍: MKCG ମେଡିକାଲ କ୍ୟାମ୍ପସ୍ ହାଇସ୍କୁଲ (ବ୍ରହ୍ମପୁର)ରେ ପଢ଼ୁଥିବା ବେଳେ ତୃତୀୟ ଶ୍ରେଣୀରେ ପ୍ରଥମ ଦେଖା ହୁଏ ମୋର ନିକ୍ୱଣ ସହିତ । ଦୀର୍ଘ ୨୨ ବର୍ଷର ମୋର ଘନିଷ୍ଠ ସମ୍ପର୍କ ତା' ସହ । ମୋ ବିନା ଭୂଗୋଳ ବିଷୟ ପଢ଼ିବା ଓ ପଢ଼ାଇବା ଯେ ଅସମ୍ଭବ ଜାଣିଲେ ମୁଁ ନିଜକୁ ଖୁବ ଗର୍ବ ଅନୁଭବ କରେ । ହଁ, ମୁଁ ସେଇ ତୁମର ପ୍ରିୟ ଆଟଲାସ୍ । ଅଜନ୍ତା, ଅକ୍ସଫୋର୍ଡ଼, ମ୍ୟାକ୍ମିଲନ୍, ଇତ୍ୟାଦି ଇତ୍ୟାଦି ନାନା ଅବତାରରେ ମୁଁ ଦେଶ ବିଦେଶର ବହିଦୋକାନ, ପାଠାଗାର, ଆମାଜନ୍ ଅନ୍ ଲାଇ��୍ରେ ବିଭିନ୍ନ ଭାଷାରେ ମୁଁ ଉପଲବ୍ଧ । ଶୁଦ୍ଧ ଓଡ଼ିଆରେ ମୋ ନାଁ 'ଭୂଚିତ୍ରାବଳୀ'.. କିନ୍ତୁ ଆମ ବହି ଦୋକାନରେ ଭୂଚିତ୍ରାବଳୀ ବୋଲି ମାଗିଲେ ଆ��ଣଙ୍କୁ ନିରାଶ ହେବାକୁ ପଡ଼ିପାରେ । ବୈଦେଶିକ ଶବ୍ଦ ଆଟଲାସ୍ର ବହୁଳ ବ୍ୟବହାରର ଏଇ କରାମତି ବୋଲି ନିକ୍ୱଣର ଓଡ଼ିଆ ଶିକ୍ଷକ ନୀରଦ ସାର୍ କହନ୍ତି । ନିକ୍ୱଣ: 'ଅବତାର !' ତୁ କ'ଣ ପ୍ରଭୁ ଜଗନ୍ନାଥ? ଆଟଲାସ୍: ନା, ମୁଁ କ'ଣ ଭୁଲ କହିଲି କି? ଅବତାର ନହେଲେ 'ବେଶ' ! ପ୍ରଭୁ ଜଗନ୍ନାଥଙ୍କ ଯେପରି ହାତୀ ବେଶ, ସୁନା ବେଶ, ଚନ୍ଦନ ଲାଗି ବେଶ, ବଣଭୋଜି ବେଶ, ଆହୁରି ଅନେକ ବେଶ ଅଛି ମୋର ବି ସେମିତି ମାନଚିତ୍ର ବେଶ, ଗ୍ଲୋବ ବେଶ, ଗୁଗୁଲ ମ୍ୟାପ ବେଶ ବୋଲି ପଞ୍ଚମ ଶ୍ରେଣୀରେ ମହାପାତ୍ର ଦିଦି କହୁଥିଲେ MKCG ମେଡିକାଲ କ୍ୟାମ୍ପସ୍ ହାଇସ୍କୁଲ ରେ । ନିକ୍ୱଣ (ସ୍ୱପ୍ନରେ ହସି ହସି): ହଁ ସତ କଥା ! ଆଛା, ତୋ'ର ମନେ ଅଛି ଆମର ପ୍ରଥମ ଦେଖା ସାକ୍ଷାତ କଥା? ଆଟଲାସ୍: ମୁଁ କେମିତି ଭୁଲି ଯିବି ଯେ? ବିଜୟ ବୁକ ଷ୍ଟୋର୍ରୁ ମଉସା ମୋତେ ନେଇ ଆସିଥିଲେ । ସେ ଥିଲା ମୋର ଅଜନ୍ତା ଅବତାର । ମୋ ଭାଷା ଥିଲା ଓଡ଼ିଆ । ନିକ୍ୱଣ: ହଁ... ଓଡ଼ିଆ ଭାଷା ପରା ମୋ ମାତୃଭାଷା । ମୁଁ ପ୍ରାଞ୍ଜଳ ଭାବେ ସାମାଜିକ ପାଠ ବୁଝିପାରିବି ବୋଲି ନନାଙ୍କ ମତ ଥିଲା । ହେଲେ ବୋଉର ମତ ଥିଲା ଟିକେ ଅଲଗା । ବୋଉ ତ' ମୋତେ ଇଂରାଜୀ ମାଧ୍ୟମ କି ସୈନିକ ସ୍କୁଲରେ ପଢ଼ାଇବା ପାଇଁ ଜିଦି ଧରିଥିଲା- "ହିନ୍ଦୀ ମିଡିଅମ" ଚଳଚ୍ଚିତ୍ରର ମିତା ମାଉସୀ ଓରଫ ସାବା ମାଉସୀଙ୍କ ପରି, କିନ୍ତୁ ମୁଁ ଓଡ଼ିଆ ମାଧ୍ୟମ ରେ ପଢ଼ି ଆଜି ପ୍ରତିଦ୍ୱନ୍ଦିତା ମୂଳକ ଯୁଗରେ ପଛରେ ପଡ଼ି ଯାଇନାହିଁ !! ନନାଙ୍କୁ ମୋର ଧନ୍ୟବାଦ ଏଥିପାଇଁ... ଆଟଲାସ୍: ହଁ ମାଉସୀ କହୁଥିଲେ ଯଦି ଇଂରାଜୀ କହି ପରୁଥାନ୍ତି, ମୁଁ ତୋର ଉଚ୍ଚ ଶ୍ରେଣୀରେ ବି କାମରେ ଆସିଥାନ୍ତି, କିନ୍ତୁ ମଉସା ସବୁବେଳେ ବର୍ତ୍ତମାନରେ ବିଶ୍ୱାସ ରଖନ୍ତି । ନିକ୍ୱଣ: ହଁ ନନା, ବୋଉକୁ ବୁଝାଇ କହି ଦେଇଥିଲେ ମୁଁ ବଡ଼ ହେଲା ପରେ ଆଉ ଏକ ଇଂରାଜୀ ଆଟଲାସ୍ ଆଣି ଦେବେ ନି କି?
ଦ୍ଵିତୀୟ ଦୃଶ୍ୟ: ୨୨ ବର୍ଷ ପୂର୍ବେ (୮ ମାର୍ଚ୍ଚ ୧୯୯୬), ବ୍ରହ୍ମପୁର, ଓଡ଼ିଶା
ଆଇ: ନିକ୍ୱଣ, ଆଟଲାସ୍ରେ ଆମ ଗାଁଟିକୁ ଦେଖାଇଲୁ... ମୁଁ ଚଷମା ନେଇ ଆସେ । (ନିକ୍ଵଣ ତା'ର ଅଜନ୍ତା ଆଟଲାସ୍ର ଗଞ୍ଜାମ ଜିଲ୍ଲା ପୃଷ୍ଠାରେ ଭଞ୍ଜନଗର ପାଖରେ ଖୋଜିବାରେ ବ୍ୟସ୍ତ ତା'ର ମାମୁଁ ଘର ଗାଁ... ହେଲେ ପାଇଲାନି) ଆଇ: ନିକ୍ୱଣ ପାଇଲୁ? ଜଗନ୍ନାଥ ପ୍ରସାଦ, ବେଲଗୁଣ୍ଠା ପାଖାପାଖି ଥିବ, ଭଲ ରେ ଖୋଜ । ନିକ୍ୱଣ: ନା ଆଇ, ପାଇଲିନି । ଆଟଲାସ୍: ସେଦିନ ମୁଁ ବି ନିଜକୁ ନିଃସହାୟ ମନେ କରୁଥିଲି ଆଇଙ୍କୁ ଦେଖି । ସେଇ ସମୟରେ ନିକ୍ୱଣର ବଡ଼ ଭଉଣୀ କାନନ ନାନୀ ଆସି ଯା'ନ୍ତି ପାଠ ପଢ଼ା ସାରି । କାନନ (Canon): ପୁଣି ଥରେ କୋଉ ପଲ୍ଲି ଖୋଜା ଚାଲିଛି ଆଇ-ନାତିଙ୍କର? ଅଜା ତ' 'ପଲ୍ଲିଶ୍ରୀ' ଦେଖି କିଛି ଶିଖିବେ ଓ ପ୍ରୟୋଗ କରିବେ ଗାଁକୁ ଯାଇ.. ହେଲେ ତୁମେ ଆଇ ନାତିଙ୍କର ବୃଥା ପ��ିଶ୍ରମ । ଆଇ: ଆମ ଗାଁ ଟି ପରା ! ଖୋଜି ପାଇଲୁନି । କାନନ: ଆଛା ! ଭୂଗୋଳ ପୋଥି ବହି ଭୁଲି ଯା' ଆଇ.. ଓଡ଼ିଆ ଆଟଲାସ୍ରେ ବି ପାଇଲନି । ଏତେ ନିପଟ ମଫସଲ ଗାଁ'କୁ କିଏ କାହିଁକି ଆଟଲାସ୍ରେ ଯୋଡ଼ି ଦେବ? ନିକ୍ୱଣ: ନାଁ ଆଇ.. ଆମ ଗଞ୍ଜାମରେ ଏମିତି ଛୋଟ ବଡ଼ ହୋଇ ୩୨୫୦ଟି ଗାଁ ଅଛି । ଗୋଟିଏ ପୃଷ୍ଠାରେ କ’ଣ ସବୁ ଛାପିବା ସମ୍ଭବ? ଆଟଲାସ୍: ଆଇକୁ ସେଦିନ ସାନ୍ତ୍ୱନା ଦେବା ପାଇଁ ନିକ୍ୱଣର ପ୍ରୟାସକୁ ମାନିବାକୁ ପଡ଼ିବ । ବୋଧହୁଏ ସେଥିପାଇଁ ଆଇ ତାକୁ ଟିକେ ଅଧିକ ସ୍ନେହ ଆଦର କରେ ! ଗପୁ ଗପୁ ମୁଁ ଟିକେ ଅଧିକ ଗପିଦେଲି ବୋଧେ ! ଯୁଗ ବଦଳିଛି । ରୁଚି ବଦଳୁଛି । ପ୍ରଭୁ ଜଗନ୍ନାଥଙ୍କ ବିଭିନ୍ନ ବେଶ ପରି ମୋର ଆଉ ଏକ ନୂତନ ବେଶ ଗୁଗୁଲ ମାନଚିତ୍ର ଆସିଯାଇଛି ୨୦୦୫ ମସିହାରୁ । ଆଣ୍ଡରଏଡ୍, ଆଇ ଫୋନ ଆପରେ.. ସେ ଯୁଗରେ ମୁଁ ଥିଲେ ବୋଧହୁଏ ବିଦ୍ୟାପତିଙ୍କୁ ନୀଳମାଧବଙ୍କ ସନ୍ଧାନ ପାଇଁ ବିଶ୍ୱାବସୁ କିମ୍ୱା ସୋରିଷ ଚାରା ଉପରେ ନିର୍ଭର କରିବାକୁ ପଡ଼ି ନଥାନ୍ତା ବୋଲି ଅଜା କହନ୍ତି, ମୁଁ ସେସବୁ ଶୁଣି ମୋର ପର ପିଢ଼ୀଙ୍କ ପାଇଁ ଗର୍ବ ଅନୁଭବ କରେ । ଆଜିବି ମୋର ଚାହିଦା କମି ଯାଇନି । ଆଜି ବି ସ୍କୁଲ କଲେଜରେ ଭୂଗୋଳ ପଢ଼ୁଥିବା ପ୍ରତିଟି ଛାତ୍ରଛାତ୍ରୀଙ୍କ ମୁଁ ପ୍ରିୟ । ମୋର ଏମିତି ଅନେକ ଅନୁଭୂତି ରହିଛି । କହୁଥିଲେ ସରିବନି । ଆଜି ପାଇଁ ଏତିକି.. "ନବପଲ୍ଲବ"ର ଆଗାମୀ ସଂସ୍କରଣରେ ମୁଁ ଆଉ ଏକ ଅଭୁଲା ଅନୁଭୂତିକୁ ନେଇ ଆସିବି... ମୁଁ ତୁମ ପ୍ରିୟ ଆଟଲାସ୍... ମୋତେ ମୋଟେ ଭୁଲିବେନି.... (ଏହି ଲେଖାଟି ଭୂଗୋଳରେ ରୁଚି ରଖିଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ ଓ ମୋର ପ୍ରଥମ ଆଟଲାସ୍ ଉଦ୍ଦେଶ୍ୟରେ ସମର୍ପିତ । ଏହି ଲେଖାଟି ଝରି ଯାଇଥିଲା ମୋର ପ୍ରଥମ ଆଟଲାସ୍ ପାଇଁ ଯେଉଁଦିନ ଗୁରୁଗ୍ରାମରୁ ବହୁତ ଦିନ ପରେ ବ୍ରହ୍ମପୁର ଆସି ଦେଖେ ମୋର ଆଟଲାସ୍ଟି ଆଉ ନାହିଁ । ଉଇଙ୍କ ଉପଦ୍ରବରେ ସେ କ୍ଷତାକ୍ତ ଛିନ୍ନ ବିଛିନ୍ନ । ଆଉ ବ୍ୟବହାର ଉପଯୋଗୀ ନଥିଲା ବୋଲି ନନା ତାକୁ କବାଡ଼ିବାଲାକୁ ମାଗଣାରେ ଦେଇ ଦେଇଥିଲେ । ତା' ପାଇଁ ଆଖିରୁ ଦି' ଧାର ଲୁହ ବି ଆସି ଯାଇ ଥିଲା...) - ନୀଳାଦ୍ରି ବିହାରୀ ନାୟକ Read the full article
0 notes
Text
ମୟୂର ଚନ୍ଦ୍ରିକା
ଦିନ ନିଛାଟିଆ ଖରାବେଳଟାରେ ଖସି ପଡ଼ିଥିବା ମୟୂର ଚନ୍ଦ୍ରିକାକୁ ପାଗଳୀ ଭଳି ଗୋଟେଇ ଚାଲିଥିଲେ ରାଧିକା । ତତ୍ପରତା କହୁଥିଲା, ସେ ମୟୂର ଚନ୍ଦ୍ରିକାର ଗୁରୁତ୍ୱ ରାଧାଙ୍କ ପାଇଁ । ବେଳେ ବେଳେ ଅତି ଆପଣାର ଦ୍ରବ୍ୟକୁ ଭୂମିରେ ପଡ଼ିଥିବାର ଦେଖିଲେ ଆଖି କୋଣରେ ଜକେଇ ଆସେ । ଠିକ ସେଦିନ, ରାଇଙ୍କ ଆଖି ବି ଭିଜି ଆସିଥିଲା ଭୂମିରେ ଲୋଟି ପଡ଼ିଥିବା ମୟୁର ଚନ୍ଦ୍ରିକା ଦେଖି । ଏସବୁ ଘଟଣା ବଳିକୁ ସାମାନ୍ୟ ଦ୍ଵନ୍ଦ, ସାମାନ୍ୟ ବିସ୍ମୟ ଆଉ ସାମନ୍ୟ କୌତୁହଳ ନଜରରେ ଏକା ଲୟରେ ଅବଲୋକନ କରୁଥିଲେ କାହ୍ନା । ଆଉ ପ୍ରଶ୍ନ କଲେ, "ହେ କୃଷ୍ଣ ପ୍ରିୟା, ତୁମ୍ଭ ସମ୍ମୁଖରେ ମୁଁ ସ୍ୱୟଂ ଦଣ୍ଡାୟମାନ, ତଥାପି ତୁମ୍ଭେ ସେ ମୟୂର ଚନ୍ଦ୍ରିକା ପାଇଁ ଅହେତୁକ ଆବେଗ ପ୍ରଦର୍ଶନ କରୁଛ, କ'ଣ ପାଇଁ?" ଛଳିଆ କହ୍ନାର ପ୍ରଶ୍ନର ଉତ୍ତର ରଖି କହିଲେ ରାଧିକା, "କାହ୍ନା, ମୁଁ ଜାଣେ ତୁମର ସିନ୍ଦୁର ମୋ ଭାଗ୍ୟରେ ନାହିଁ । କିନ୍ତୁ ଦୁନିଆ ଯଦି ପ୍ରଶ୍ନ କରିବ, ରାଧିକା କ'ଣ ସତରେ କାହ୍ନାଙ୍କର ପ୍ରାଣ ପ୍ରିୟାଥିଲା, ରାଧିକା କ'ଣ କୃଷ୍ଣଙ୍କ ଶ୍ରେଷ୍ଠ ଗୋପି ଥିଲା? ତେବେ ସେତେବେଳେ ଏଇ ମୟୂର ଚନ୍ଦ୍ରିକା ହିଁ ଦେବ ଉତ୍ତର, କାରଣ ସେ ହେଉଛି ଆମ ପ୍ରେମର ସାକ୍ଷୀ, ଏହି ଚନ୍ଦ୍ରିକା ହିଁ ହେବେ ଆମ ଭଲପାଇବାର ସ୍ମୃତି ଆଉ ଆମ ଛୋଟ ବଡ଼ ଘଟଣାର ଶିଳାଲିପି । ଏହି ଚନ୍ଦ୍ରିକା ଶୁଣିଛି ତୁମ ବଂଶୀରୁ ବାହାରୁଥିବା ରାଧା ରାଧା ଡାକ, ଆଉ ଏଇ ଚନ୍ଦ୍ରିକା ଦେଖିଚି ତୁମ ପାଇଁ ମୋ ହୃଦୟରେ ଲହଡ଼ି ଭାଙ୍ଗୁଥିବା ପ୍ରେମକୁ ।" ଭିଜି ଆସିଥିବା କୃଷ୍ଣପ୍ରିୟାଙ୍କ ନୟନକୁ ଚାହିଁ କପଟୀ କୃଷ୍ଣ କହିଲେ, "ହେ ରାଧାରାଣୀ... ତୁମ ମୋ ସମ୍ପର୍କ ଗୋଟେ ଜନ୍ମର ନୁହେଁ, ଯୁଗ ଯୁଗର... । ଏ ପୃଥିବୀରେ ଯେବେ କୃଷ୍ଣ ନାମ ଆସିବ ତା' ପୂର୍ବରୁ ରାଧା ନାମ ଆସିବ, ଯେଉଁଠି ରାଧା ସେଇଠି କୃଷ୍ଣ, ଶରୀର ସିନା ଅଲଗା ଥିବ, ହେଲେ ସମସ୍ତଙ୍କ କଣ୍ଠରେ ରାଧା କୃଷ୍ଣ ଏକ ହୋଇକି ଥିବ । ବାକି ରହିଲା ବିବାହ । ସିନ୍ଦୁର କେବଳ ଗୋଟେ ଜନ୍ମ ପାଇଁ, ରାଧିକା... ହେଲେ ପ୍ରକୃତ ଭଲ ପାଇବା ଜନ୍ମ ଜନ୍ମ ପାଇଁ ।।।" Read the full article
0 notes